ମୁମ୍ବାଇ:
ନିଜର ସୁମଧୁର କଣ୍ଠସ୍ୱର ଓ ଚିରସବୁଜ ଗୀତ ମାଧ୍ୟମରେ ଦଶନ୍ଧି ଧରି ସଙ୍ଗୀତପ୍ରେମୀଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିବା କିମ୍ବଦନ୍ତୀ ଗାୟିକା ସୁମନ କଲ୍ୟାଣପୁରଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ମୁମ୍ବାଇର ଲୋଖଣ୍ଡୱାଲାସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସଙ୍ଗୀତ ଜଗତ ଓ ଚଳଚ୍ଚିତ୍ର ଶିଳ୍ପରେ ଶୋକର ଛାୟା ଖେଳିଯାଇଛି।
‘ନା ନା କରତେ ପ୍ୟାର୍ ତୁମ୍ ହି ସେ’, ‘ଆଜକଲ୍ ତେରେ ମେରେ ପ୍ୟାର୍ କେ ଚର୍ଚ୍ଚେ’ ଏବଂ ‘ବହନା ନେ ଭାଇ କି କଲାଇ’ ଭଳି ଅନେକ ଲୋକପ୍ରିୟ ଗୀତ ତାଙ୍କୁ ଘରେ ଘରେ ପରିଚିତ କରିଥିଲା। ମଧୁର କଣ୍ଠ ଓ ସ୍ୱତନ୍ତ୍ର ଗାୟନ ଶୈଳୀ ତାଙ୍କୁ ଭାରତୀୟ ପ୍ଲେବ୍ୟାକ୍ ସଙ୍ଗୀତର ଏକ ଅଲଗା ପରିଚୟ ଦେଇଥିଲା।
୧୯୩୭ ଜାନୁଆରି ୨୮ରେ ସେତେବେଳର ଅବିଭକ୍ତ ଭାରତର ଢାକାରେ ଜନ୍ମଗ୍ରହଣ କରିଥିବା ସୁମନ କଲ୍ୟାଣପୁର ପରେ ପରିବାର ସହ ମୁମ୍ବାଇକୁ ଆସିଥିଲେ। ସେଠାରେ ସଙ୍ଗୀତ ଶିକ୍ଷା ଗ୍ରହଣ କରି ନିଜ କଳାଜୀବନର ଭିତ୍ତି ସୃଷ୍ଟି କରିଥିଲେ।
ହିନ୍ଦୀ ସହ ବଙ୍ଗାଳୀ, ମରାଠୀ, ଆସାମୀ, ଗୁଜରାଟୀ, କନ୍ନଡ, ଭୋଜପୁରୀ, ରାଜସ୍ଥାନୀ, ଓଡ଼ିଆ ଓ ପଞ୍ଜାବୀ ସମେତ ଅନେକ ଭାଷାରେ ସେ ଶହ ଶହ ଗୀତ ଗାଇଥିଲେ। ତାଙ୍କ ଅନେକ ଗୀତ ଆଜି ମଧ୍ୟ ନୂଆ ପିଢ଼ି ମଧ୍ୟରେ ସମାନ ଭାବେ ଲୋକପ୍ରିୟ ରହିଛି।
ସଙ୍ଗୀତ କ୍ଷେତ୍ରରେ ତାଙ୍କ ଅସାଧାରଣ ଅବଦାନକୁ ସମ୍ମାନ ଜଣାଇ ଭାରତ ସରକାର ୨୦୨୩ ମସିହାରେ ତାଙ୍କୁ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରିଥିଲେ। ୧୯୭୫ରେ ‘ରେଶମ କି ଡୋରି’ ଚଳଚ୍ଚିତ୍ରର ଗୀତ ‘ବହନା ନେ ଭାଇ କି କଲାଇ’ ପାଇଁ ସେ ଫିଲ୍ମଫେୟାର ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ୍ ଗାୟିକା ସମ୍ମାନ ମଧ୍ୟ ପାଇଥିଲେ।
ସଙ୍ଗୀତ ତାଙ୍କ ପାଇଁ ଆରମ୍ଭରେ ଏକ ହବି ଥିଲା। କିନ୍ତୁ ପରେ ଏହା ତାଙ୍କ ଜୀବନର ପରିଚୟ ହୋଇଯାଇଥିଲା। ତାଙ୍କ ସ୍ୱର ଓ ସଙ୍ଗୀତ ପ୍ରତି ଅବଦାନ ଭାରତୀୟ ସଙ୍ଗୀତ ଇତିହାସରେ ସଦା ସ୍ମରଣୀୟ ହୋଇ ରହିବ।




