ଭୁବନେଶ୍ୱର: ଓଡ଼ିଶାର ମହିଳା ଚାଷୀ ଏବଂ କୃଷି-ବ୍ୟବସାୟ କ୍ଷେତ୍ର ପାଇଁ ଏକ ବଡ଼ ସଫଳତା। ମୟୂରଭଞ୍ଜ ଜିଲ୍ଲାର ଏକ ମହିଳା କୃଷକ ଉତ୍ପାଦକ ସଂଗଠନ (FPO) ପକ୍ଷରୁ ସୁଦୂର ଲଣ୍ଡନକୁ ୯.୫ କ୍ୱିଣ୍ଟାଲ ପ୍ରିମିୟମ ଗୁଣବତ୍ତାର ‘ଆମ୍ରପାଲି’ ଆମ୍ବ ରପ୍ତାନି କରାଯାଇଛି। ଗ୍ରାମୀଣ ମହିଳା ଉତ୍ପାଦକମାନଙ୍କୁ ବିଶ୍ୱ ବଜାର ସହ ଯୋଡ଼ିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ କ୍ଷେତ୍ରରେ ଏହା ଏକ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।

ମୟୂରଭଞ୍ଜର ଯଶୀପୁର-କରଞ୍ଜିଆ ଅଞ୍ଚଳରେ କାର୍ଯ୍ୟ କରୁଥିବା “ସ୍ୱୟଂ ସମ୍ପୂର୍ଣ୍ଣା FPO” ମାଧ୍ୟମରେ ଏହି ରପ୍ତାନି ପ୍ରକ୍ରିୟା ସଫଳ ହୋଇଛି। ଏହି ସଂଗଠନଟି ଏପିସି (APC) କାର୍ଯ୍ୟକ୍ରମ ଅଧୀନରେ ପ୍ରୋତ୍ସାହିତ ହୋଇଥିବା ବେଳେ ଏହାକୁ ରାଜ୍ୟ ମିଶନ ଶକ୍ତି ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦିଆଯାଉଛି। ଏହି ସଫଳତା ଆଗାମୀ ଦିନରେ ଓଡ଼ିଶାର ଉଦ୍ୟାନ କୃଷି ଉତ୍ପାଦ ପାଇଁ ଆନ୍ତର୍ଜାତୀୟ ବଜାରରେ ଚାହିଦା ବଢ଼ାଇବ ଏବଂ ମହିଳା ସଂଗଠନଗୁଡ଼ିକର ଆର୍ଥିକ ସ୍ଥିତିକୁ ଅଧିକ ମଜବୁତ କରିବ ବୋଲି ଆଶା କରାଯାଉଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସଫଳତା ପାଇଁ FPO ର ସମସ୍ତ ସଦସ୍ୟାଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇବା ସହ ଏହାକୁ ରାଜ୍ୟ ପାଇଁ ଏକ ଐତିହାସିକ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘X’ ରେ ଏକ ପୋଷ୍ଟ କରି ଲେଖିଛନ୍ତି:

“ମୟୂରଭଞ୍ଜର ଆମ୍ବ ବଗିଚାରୁ ଆନ୍ତର୍ଜାତୀୟ ବଜାର ପର୍ଯ୍ୟନ୍ତ… ଓଡ଼ିଶାର ମହିଳା ସଫଳ ଉଦ୍ୟୋଗୀମାନେ ଆଜି ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଏପିସି କାର୍ଯ୍ୟକ୍ରମ ଅଧୀନରେ ‘ସ୍ୱୟଂ ସମ୍ପୂର୍ଣ୍ଣା FPO’ ଦ୍ୱାରା ଲଣ୍ଡନକୁ ପ୍ରିମିୟମ ଆମ୍ରପାଲି ଆମ୍ବ ରପ୍ତାନି ହେବା ଆମ ମହିଳା ସଂଗଠନଗୁଡ଼ିକର ଦକ୍ଷତା, ମୂଲ୍ୟଯୁକ୍ତ କୃଷି ଏବଂ ବିଶ୍ୱ ବଜାର ସହ ସେମାନଙ୍କର ବଢୁଥିବା ସମ୍ପର୍କର ଏକ ଜ୍ୱଳନ୍ତ ପ୍ରମାଣ। ମହିଳାମାନଙ୍କୁ ସଶକ୍ତ କରିବା, ଗ୍ରାମୀଣ ଆଜୀବିକାର ବିକାଶ କରିବା ଏବଂ ଓଡ଼ିଶାର ଉତ୍ପାଦକୁ ସମଗ୍ର ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ।”