ରାଉରକେଲା: ରାଜ୍ୟର ପ୍ରଦୂଷିତ ନଦୀ ତାଲିକାରେ ବ୍ରାହ୍ମଣୀ ନଦୀର ନାମ ଆସିବା ପରେ ରାଉରକେଲା ଅଞ୍ଚଳରେ ଚିନ୍ତା ବଢ଼ିଛି। ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୧୬ଟି ନଦୀର ଜଳ ପ୍ରଦୂଷିତ ହୋଇଥିବାବେଳେ ସେଥିରେ ବ୍ରାହ୍ମଣୀ ମଧ୍ୟ ସାମିଲ ରହିଛି।
ସ୍ଥାନୀୟ ଲୋକ ଓ ପରିବେଶବିଦଙ୍କ ଅଭିଯୋଗ ଅନୁଯାୟୀ, ସହର ଓ ନଦୀ ଆଖପାଖ ଅଞ୍ଚଳରୁ ନିର୍ଗତ ବର୍ଜ୍ୟଜଳ, ହୋଟେଲ ଓ ଅନ୍ୟାନ୍ୟ ପ୍ରତିଷ୍ଠାନର ଅପରିଶୋଧିତ ପାଣି ସିଧାସଳଖ ଭାବେ ନଦୀରେ ମିଶୁଛି। ଏହା ଫଳରେ ନଦୀର ଜଳଗୁଣ ଧୀରେଧୀରେ ପ୍ରଭାବିତ ହେଉଛି।
ଏହି ସମସ୍ୟାର ସମାଧାନ ପାଇଁ ପ୍ରାୟ ୩୪୦ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପିତ ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍ଟିପି) ପ୍ରକଳ୍ପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ। ୨୦୧୭ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୨୦ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ଥିଲେ ମଧ୍ୟ ବର୍ଷ ପରେ ବର୍ଷ ବିଳମ୍ବ ହେଉଛି।
ପ୍ରକଳ୍ପ ଅନୁଯାୟୀ ୧୮୬ କିଲୋମିଟର ପାଇପ୍ଲାଇନ୍, ୭ଟି ପମ୍ପିଂ ହାଉସ୍ ଓ ୨ଟି ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନର ଯୋଜନା ରହିଥିଲା। ତେବେ ଅନେକ ଘର, ହସ୍ପିଟାଲ, ହୋଟେଲ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ସହ ସ୍ବରେଜ ସଂଯୋଗ ଏପର୍ଯ୍ୟନ୍ତ ହୋଇନଥିବାରୁ ପ୍ରକଳ୍ପର ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ।
ଏହାକୁ ନେଇ ବୁଦ୍ଧିଜୀବୀ ଓ ପରିବେଶ ସଂଗଠନ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ, ଏତେ ବୃହତ ନିବେଶ ସତ୍ତ୍ୱେ ନଦୀ ପ୍ରଦୂଷଣ ନିୟନ୍ତ୍ରଣ ନ ହେବା ଚିନ୍ତାଜନକ।
ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଛନ୍ତି ଯେ, ବ୍ରାହ୍ମଣୀ ପ୍ରଦୂଷଣ ରୋକିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ସ୍ବରେଜ ବୋର୍ଡ ମଧ୍ୟରେ ସମନ୍ୱୟ ବଢ଼ିବା ଦରକାର ଏବଂ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ଆବଶ୍ୟକ।
ଅନ୍ୟପକ୍ଷରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି ଯେ, ହସ୍ପିଟାଲ ଓ ଅନ୍ୟ ପ୍ରତିଷ୍ଠାନକୁ ବର୍ଜ୍ୟଜଳ ବିଶୋଧନ ପରେ ନଦୀକୁ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସ୍ଥିତିରେ ନଦୀଜଳ ଲୋକ କିମ୍ବା ପ୍ରାଣୀସମ୍ପଦ ପାଇଁ ଗୁରୁତର ବିପଦ ସୃଷ୍ଟି କରିନଥିବା ବେଳେ ଆଗାମୀଦିନରେ ଏସ୍ଟିପି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ପ୍ରଦୂଷଣ ହ୍ରାସ ପାଇବ ବୋଲି ଆଶା କରାଯାଇଛି।




