ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ସମ୍ମୁଖରେ ଯାଉଥିବା ଟ୍ରକ୍‌କୁ ପଛରୁ ଜୋରଦାର ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।ଜିଲ୍ଲାର ହଣ୍ଡପା ଥାନା ଅନ୍ତର୍ଗତ ବାଇନ୍ଦା ଅଞ୍ଚଳର ଲୁହାମୁଣ୍ଡା ନିକଟରେ ଶୁକ୍ରବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଭୋର ପ୍ରାୟ ୨ଟାରୁ ୩ଟା ମଧ୍ୟରେ ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ‘ଦିଲ୍‌ଖୁସ୍’ନାମକ ଏକ ଯାତ୍ରୀବାହୀ ବସ୍ ସମ୍ମୁଖରେ ଯାଉଥିବା ଏକ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା, ପୋଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଆହତଙ୍କୁ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।ଅନ୍ୟ ୧୫ ଜଣ ଗୁରୁତର ଆହତଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସସିବି (SCB) ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ଦୁର୍ଘଟଣା ଯୋଗୁଁ ରାସ୍ତାରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ଗାଡ଼ିଗୁଡ଼ିକୁ ହଟାଇ ଯାତାୟାତ ସ୍ୱାଭାବିକ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।