ନୋଏଡା: ଉତ୍ତର ପ୍ରଦେଶର ନୋଏଡା ସେକ୍ଟର-୭୪ ସ୍ଥିତ ‘ଆଇଭି କାଉଣ୍ଟି ସୋସାଇଟି’ର ଏକ ଆବାସିକ ବିଲ୍ଡିଂରେ ଶୁକ୍ରବାର ସକାଳେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଲ୍ଡିଂର ୧୨ତମ ମହଲାରେ ଥିବା ଏକ ଫ୍ଲାଟ୍ର ବାଲକୋନିରୁ କଳା ଚାଦର ପରି ଧୂଆଁ ଓ ନିଆଁର ଜ୍ୱାଳା ବାହାରୁଥିବା ଦେଖିବାକୁ ମିଳିଥିଲା, ଯାହାଫଳରେ ସଂପୃକ୍ତ ସୋସାଇଟିର ବାସିନ୍ଦାମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।ଖବର ପାଇ ସେକ୍ଟର-୧୧୩ ଥାନା ଅନ୍ତର୍ଗତ ଏହି ସ୍ଥାନରେ ଦମକଳ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଏହି ଦିନ ନୋଏଡାର ସେକ୍ଟର-୫୨ ସ୍ଥିତ ଗିଝୋଡ଼ ଅଞ୍ଚଳରେ ମଧ୍ୟ ଅନ୍ୟ ଏକ ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା। ଏକ ବହୁତଳ ପ୍ରାସାଦର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଅଫିସରୁ ଏହି ନିଆଁ ସୂତ୍ରପାତ ହୋଇଥିଲା। ଏହି ବିଲ୍ଡିଂର ଉପର ମହଲାଗୁଡ଼ିକରେ ହଷ୍ଟେଲ ଓ ପିଜି (PG) ରହିଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ବ୍ୟାପିବାରୁ ରୋକିଥିଲେ।
ଏହି ଘଟଣାଗୁଡ଼ିକ ଚଳିତ ସପ୍ତାହ ବୁଧବାର ଦିଲ୍ଲୀର ମାଲଭିୟ ନଗରସ୍ଥିତ ‘ଫ୍ଲୋରିସ୍ ଷ୍ଟେ’ ହୋଟେଲରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ପରେ ସାମ୍ନାକୁ ଆସିଛି, ଯେଉଁଥିରେ ବିଦେଶୀ ନାଗରିକଙ୍କ ସମେତ ୨୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି। ଅନ୍ୟପଟେ ହୋଟେଲ ମାଲିକ ଲଭକେଶ ବଜାଜଙ୍କୁ ଗିରଫ କରାଯାଇ ୪ ଦିନିଆ ପୋଲିସ ହେପାଜତକୁ ପଠାଯାଇଛି।




