ଭୁବନେଶ୍ୱର: ଆନ୍ତର୍ଜାତୀୟ ସ୍ତରରେ ପୁଣି ଚମକିଲେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ରୁଷିଆର କାଲିନିନଗ୍ରାଡ୍ଠାରେ ଆୟୋଜିତ ଦ୍ୱିତୀୟ ଆନ୍ତର୍ଜାତୀୟ ବାଲୁକା ଭାସ୍କର୍ଯ୍ୟ ମହୋତ୍ସବରେ ତାଙ୍କୁ ପ୍ରତିଷ୍ଠିତ ‘ରୁଷିଆନ୍ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ୨୦୨୬’ (Russian Grand Sand Master Cup 2026) ସମ୍ମାନରେ ସମ୍ମାନିତ କରାଯାଇଛି।
ବିଶ୍ୱର ସବୁଠାରୁ ଗମ୍ଭୀର ସମସ୍ୟା ପାଲଟିଥିବା ‘ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ୱାର୍ମିଂ’ ଉପରେ ଏକ ଚିତ୍ତାକର୍ଷକ ବାଲୁକା କଳା ପ୍ରଦର୍ଶନ କରି ସେ ଏହି ସଫଳତା ହାସଲ କରିଛନ୍ତି। ଏହି ସମ୍ମାନଜନକ ପୁରସ୍କାର ପାଇବାରେ ସୁଦର୍ଶନ ହେଉଛନ୍ତି ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ।
ଏହି ସଫଳତା ପରେ ନିଜର ଆନନ୍ଦ ପ୍ରକାଶ କରି ସୁଦର୍ଶନ ପଟ୍ଟନାୟକ ଏହାକୁ ନିଜ କ୍ୟାରିୟରର ଏକ ବଡ଼ ମାଇଲଖୁଣ୍ଟ ବୋଲି ଅଭିହିତ କରିଛନ୍ତି। ସେ ନିଜର ଏକ୍ସ (X) ହ୍ୟାଣ୍ଡେଲରେ ଲେଖିଛନ୍ତି, “ରୁଷିଆର କାଲିନିନଗ୍ରାଡ୍ରେ ଆୟୋଜିତ ଦ୍ୱିତୀୟ ଆନ୍ତର୍ଜାତୀୟ ବାଲୁକା ଭାସ୍କର୍ଯ୍ୟ ମହୋତ୍ସବରେ ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ୱାର୍ମିଂ ଭଳି ବିଶ୍ୱସ୍ତରୀୟ ସମସ୍ୟାକୁ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶନ କରି ‘ରୁଷିଆନ୍ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ୨୦୨୬’ ପାଇ ମୁଁ ଅତ୍ୟନ୍ତ ଗୌରବାନ୍ୱିତ। ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ ଭାବେ ଏହି ସମ୍ମାନଜନକ ସ୍ୱୀକୃତି ପାଇ ମୁଁ ଗର୍ବିତ। ଏହି ଅବସରରେ ମୁଁ ଆୟୋଜକ, ଜୁରି ସଦସ୍ୟ ଏବଂ ମୋର ଏହି କଳାଯାତ୍ରାରେ ମତେ ସମର୍ଥନ ଓ ଉତ୍ସାହିତ କରିଥିବା ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି।” – ସୁଦର୍ଶନ ପଟ୍ଟନାୟକ
ଏହି ଆନ୍ତର୍ଜାତୀୟ ସ୍ୱୀକୃତି ସୁଦର୍ଶନ ପଟ୍ଟନାୟକଙ୍କୁ ବିଶ୍ୱର ଜଣେ ଅଗ୍ରଣୀ ବାଲୁକା ଶିଳ୍ପୀ ଭାବେ ପୁଣି ଥରେ ପ୍ରମାଣିତ କରିଛି। ସେ ସାରା ବିଶ୍ୱର ବିଭିନ୍ନ ସମୁଦ୍ର କୂଳରେ ସାମାଜିକ, ପରିବେଶ ସୁରକ୍ଷା ଏବଂ ଦେଶଭକ୍ତି ଜାଗ୍ରତ କରୁଥିବା ଭଳି ପ୍ରସଙ୍ଗ ଉପରେ ଚମତ୍କାର ବାଲୁକା କଳା ନିର୍ମାଣ କରିବା ପାଇଁ ବେଶ୍ ଜଣାଶୁଣା। ଏହା ପୂର୍ବରୁ ମଧ୍ୟ ସେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ଲାଭ କରି ଦେଶ ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।




