ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗର ୧୧ତମ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଅଭିବୃଦ୍ଧି ଓ ସୁଶାସନର ଏକ ବଡ଼ ଚିତ୍ର ଉପସ୍ଥାପନ କରିଛନ୍ତି। ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶାର ସଂକଳ୍ପକୁ ସାକାର କରିବା ପାଇଁ ରାଜ୍ୟ ସରକାର ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ, କ୍ରୀଡ଼ା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗ୍ରହଣ କରିଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ବିଷୟରେ ସେ ଆଲୋକପାତ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ଭାରତର ରୂପାନ୍ତରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ଦୂରଦୃଷ୍ଟିର ନେତୃତ୍ୱ ନେବାରେ ଓଡ଼ିଶା ଗର୍ବ ଅନୁଭବ କରୁଛି।

୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶା ୭.୯% ଅର୍ଥନୈତିକ ଅଭିବୃଦ୍ଧି ହାର ରେକର୍ଡ କରିଛି। ଏଥିସହ ରାଜ୍ୟ ନିଜର ଆର୍ଥିକ ନିଅଣ୍ଟ ଓ ଋଣ ସୀମାକୁ FRBM ନିୟମ ମଧ୍ୟରେ ରଖିବାରେ ସଫଳ ହୋଇଛି। ଏହି କାରଣରୁ ନୀତି ଆୟୋଗଙ୍କ ‘ଫିସ୍କାଲ ହେଲ୍‌ଥ ଇଣ୍ଡେକ୍ସ ୨୦୨୬’ (Fiscal Health Index 2026) ରେ ওଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି।

ବୈଠକର ମୁଖ୍ୟ ପ୍ରସଙ୍ଗ ‘ବିକଶିତ ଭାରତ ପାଇଁ ଅନ୍ତର୍ଭୁକ୍ତୀକରଣ ମାନବ ବିକାଶ’ ଉପରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, “କେବଳ ଭିତ୍ତିଭୂମି ଦ୍ୱାରା ଏକ ବିକଶିତ ରାଷ୍ଟ୍ର ଗଠନ ହୋଇପାରିବ ନାହିଁ। ଏଥିପାଇଁ ସଶକ୍ତ ନାଗରିକ, ଦକ୍ଷ ଯୁବପିଢ଼ି, ସୁସ୍ଥ ପରିବାର ଓ ଶିକ୍ଷିତ ଶିଶୁଙ୍କ ଆବଶ୍ୟକତା ରହିଛି। ଆମ ଦୂରଦୃଷ୍ଟିର ତିନୋଟି ମୁଖ୍ୟ ସ୍ତମ୍ଭ ହେଉଛି ସ୍ୱାସ୍ଥ୍ୟ, ପୋଷଣ ଏବଂ ଶିକ୍ଷା।”ଶିଶୁର ପ୍ରାରମ୍ଭିକ ବୟସରେ ମସ୍ତିଷ୍କର ବିକାଶକୁ ଗୁରୁତ୍ୱ ଦେଇ ସେ ସରକାରଙ୍କ ପ୍ରମୁଖ ଯୋଜନା ଯଥା- ସୁଖଦ ଲାଲନ ପାଲନ, ଆମେ ପଢ଼ିବା ଆମ ଭାଷାରେ, ମୋ ବିକାଶ ପତ୍ର, ଆରୋହଣ, ସକ୍ଷମ ଅଙ୍ଗନୱାଡ଼ି ଏବଂ ବିଦ୍ୟା-ସାରଥୀ ବିଷୟରେ ସୂଚନା ଦେଇଛନ୍ତି।

ଓଡ଼ିଶା ସରକାର ଶିକ୍ଷା ଓ ଶିଶୁ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବ୍ୟବହାର କରିବାକୁ ଯୋଜନା କରୁଛନ୍ତି। ରାଜ୍ୟରେ ଶିକ୍ଷାର ଉନ୍ନତି ପାଇଁ *ଆମ କୁନି ପିଲା, ଶିଶୁ ବାଟିକା, ପ୍ରବେଶ ଉତ୍ସବ, ଖଡ଼ି ଛୁଆଁ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳା ଯୋଜନା ଭଳି ଅନେକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଚାଲୁ ରହିଛି।

ITI ର ସୁଧାର, ଏଆଇ ଲ୍ୟାବ୍‌, ଏବଂ ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ସମ୍ପ୍ରସାରଣ କରାଯାଉଛି। ୧.୫ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ନସିପ୍ ଏବଂ ଆପ୍ରେଣ୍ଟିସିପ୍-ଲିଙ୍କ୍‌ଡ ଡିଗ୍ରୀ ପ୍ରୋଗ୍ରାମ ଆରମ୍ଭ କରାଯାଇଛି। ବ୍ଲକ୍ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ସହ ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ ଜରିଆରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରାଯାଉଛି।

‘AgriStack’ ମାଧ୍ୟମରେ ଡିଜିଟାଲ୍ ଫସଲ ସର୍ବେକ୍ଷଣ କରାଯାଉଛି। ପ୍ରଶାସନିକ ସେବାକୁ ସହଜ କରିବା ପାଇଁ ‘ଆମ ସାଥୀ’ ଭଳି ଡିଜିଟାଲ୍ ପ୍ଲାଟଫର୍ମରେ ଏଆଇ ବ୍ୟବହାର କରାଯାଉଛି।ଓଡ଼ିଶାକୁ ଏକ ଅଗ୍ରଣୀ ଶିଳ୍ପ ଏବଂ ବୈଷୟିକ ହବ୍‌ରେ ପରିଣତ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।