ଅଫିସ କାମ କିମ୍ବା ମିଟିଂ ଯୋଗୁଁ ଅନେକ ଲୋକ ବାରମ୍ବାର ପରିସ୍ରା ଅଟକାଇ ରଖନ୍ତି । ପ୍ରାୟତଃ ଲୋକେ ଭାବନ୍ତି ଯେ ଆଉ କିଛି ସମୟ କାମ ସାରିବା ପରେ ଶୌଚାଳୟକୁ ଯିବେ । କିନ୍ତୁ ଏହାକୁ ଏକ ଦୀର୍ଘକାଳୀନ ଅଭ୍ୟାସରେ ପରିଣତ କଲେ ବ୍ଲାଡର (ପରିସ୍ରା ଥଳୀ) ର ସ୍ୱାସ୍ଥ୍ୟ ଗମ୍ଭୀର ଭାବେ ପ୍ରଭାବିତ ହୋଇଥାଏ ।

ଡାକ୍ତରଙ୍କ କହିବା ଅନୁଯାୟୀ, କେବେକେବେ କିଛି ସମୟ ପାଇଁ ପରିସ୍ରା ରୋକିବାରେ କୌଣସି ଅସୁବିଧା ନାହିଁ, କାରଣ ବ୍ଲାଡରକୁ ସେହିଭଳି ଭାବେ ତିଆରି କରାଯାଇଛି । ଜଣେ ସୁସ୍ଥ ବ୍ୟକ୍ତି ଦିନସାରା ପ୍ରତି ୩ ରୁ ୪ ଘଣ୍ଟା ମଧ୍ୟରେ ପରିସ୍ରା ତ୍ୟାଗ କରିବା ଉଚିତ୍ । ଯଦି ଏହି ପ୍ରାକୃତିକ ସଙ୍କେତକୁ ନିୟମିତ ଭାବେ ଅଣଦେଖା କରାଯାଏ, ତେବେ ବ୍ଲାଡର ଦୁର୍ବଳ ହୋଇଯାଏ । ଏହା ଦ୍ୱାରା ବାରମ୍ବାର ପରିସ୍ରା ଲାଗିବା, ପରିସ୍ରା ଜମି ରହିବା ଏବଂ ୟୁରିନାରୀ ଟ୍ରାକ୍ଟ ଇନଫେକସନ (UTI) ଭଳି ସମସ୍ୟା ଦେଖାଦେଇଥାଏ ।

ମଧୁମେହ, ପ୍ରୋଷ୍ଟେଟ୍ ବୃଦ୍ଧି, ସ୍ନାୟୁଗତ ସମସ୍ୟା କିମ୍ବା ପୂର୍ବରୁ UTI ଓ ବ୍ଲାଡର ଜନିତ ସମସ୍ୟା ଥିବା ରୋଗୀମାନେ ପରିସ୍ରା ଅଟକାଇବା ଦ୍ୱାରା ଅଧିକ ବିପଦର ସମ୍ମୁଖୀନ ହୋଇପାରନ୍ତି ।

ଡାକ୍ତରଙ୍କ କହିବା ଅନୁଯାୟୀ, ୱାଶରୁମ୍ ବ୍ରେକକୁ କଦାପି ବିକଳ୍ପ ଭାବେ ନିଅନ୍ତୁ ନାହିଁ । ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଏବଂ ନିଜର ବ୍ୟସ୍ତବହୁଳ ସମୟରୁ କିଛି ମିନିଟ୍ ବାହାର କରି ଶୌଚାଳୟକୁ ଯାଆନ୍ତୁ । ସବୁବେଳେ ନିଜ ଶରୀରର ପ୍ରାକୃତିକ ସଙ୍କେତକୁ ଶୁଣନ୍ତୁ ।