ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଛି। ରଜ ପୂର୍ବରୁ ମୌସୁମୀ ଆଗମନ ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଓ ଅସହ୍ୟ ଗରମରୁ କିଛିଟା ଆରାମ ମିଳିବାର ଆଶା ସୃଷ୍ଟି ହୋଇଛି।  

ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିବା ପରେ ଜୁନ୍‌ ୧୦ରୁ ୧୨ ମଧ୍ୟରେ ଓଡ଼ିଶା ଛୁଇଁଥାଏ। ଚଳିତ ବର୍ଷ କେରଳରେ ମୌସୁମୀ ୪ ଜୁନ୍‌ରେ, ସାଧାରଣ ସମୟଠାରୁ ପ୍ରାୟ ୩ ଦିନ ବିଳମ୍ବରେ ପହଞ୍ଚିଥିଲା।  

ପାଣିପାଗ ବିଶେଷଜ୍ଞଙ୍କ ମତରେ, ଓଡ଼ିଶାରେ ମୌସୁମୀ ଆଗମନ ପାଇଁ କେବଳ କେରଳର ସ୍ଥିତି ନୁହେଁ, ବରଂ ବଙ୍ଗୋପସାଗରୀୟ ପାଣିପାଗ ପ୍ରଣାଳୀ ଅଧିକ ଗୁରୁତ୍ୱପୂର୍ଣ୍ଣ ରହେ। ଏଥର ଉତ୍ତର ଓଡ଼ିଶା ଅଞ୍ଚଳରୁ ମୌସୁମୀର ଅଗ୍ରଗତି ଆରମ୍ଭ ହୋଇଥିବା ଜଣାପଡ଼ିଛି ଏବଂ ଆସନ୍ତା କିଛି ଦିନ ଭିତରେ ସମଗ୍ର ରାଜ୍ୟକୁ କଭର କରିପାରେ।  

ଦେଶସ୍ତରରେ ମୌସୁମୀ କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ରର କିଛି ଅଞ୍ଚଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ବଙ୍ଗୋପସାଗରର ବିଭିନ୍ନ ଭାଗକୁ ଅଗ୍ରସର ହୋଇସାରିଛି। ଯଦିଓ ଚଳିତ ବର୍ଷ ମୌସୁମୀର ଗତି କେତେକ ଅଞ୍ଚଳରେ ଧୀର ରହିଛି।