ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଭୂ-ରାଜନୈତିକ ଉତ୍ତେଜନା ଓ ବିଶ୍ୱ ତୈଳ ଯୋଗାଣ ଉପରେ ପ୍ରଭାବକୁ ଦୃଷ୍ଟିରେ ରଖି ଭାରତ ସରକାର ଓ ତୈଳ କମ୍ପାନିଗୁଡ଼ିକ ଡିଜେଲ ବିକ୍ରି ଉପରେ ନୂଆ ନିୟମ ଲାଗୁ କରିଛନ୍ତି। ଏବେ ଖୁଚୁରା ପେଟ୍ରୋଲ ପମ୍ପରେ ଜଣେ ଗ୍ରାହକ କିମ୍ବା ଗାଡ଼ିକୁ ଦିନକୁ ସର୍ବାଧିକ ୨୦୦ ଲିଟର ଡିଜେଲ ବିକ୍ରି କରାଯିବ।
ନୂଆ ନିୟମ ଅନୁସାରେ ଶିଳ୍ପ, ବାଣିଜ୍ୟିକ ଓ ସଂସ୍ଥାଗତ ବ୍ୟବହାରକାରୀମାନେ ସାଧାରଣ ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିମ୍ବା ଡିଜେଲ କିଣିପାରିବେ ନାହିଁ। ସେମାନଙ୍କୁ ବଲ୍କ ସପ୍ଲାଇ କିମ୍ବା ନିଜସ୍ୱ କନ୍ସ୍ୟୁମର ପମ୍ପ ମାଧ୍ୟମରେ ତେଲ ସଂଗ୍ରହ କରିବାକୁ ପଡିବ।
ସରକାରଙ୍କ ମତରେ, ଖୁଚୁରା ଓ ବଲ୍କ ଡିଜେଲ ଦର ମଧ୍ୟରେ ବଡ଼ ତଫାତ ଥିବାରୁ କେତେକ ବଡ଼ ଗ୍ରାହକ ସାଧାରଣ ପମ୍ପରୁ ଅଧିକ ପରିମାଣର ତେଲ କିଣୁଥିଲେ। ଏଥିରୁ ସ୍ଥାନୀୟ ସ୍ତରରେ ଅଭାବ, ମହଜୁଦ ଓ ବଣ୍ଟନ ବାଧାଗ୍ରସ୍ତ ହେବା ଆଶଙ୍କା ବଢ଼ିଥିଲା।
ଏହି ନିୟମ ଅନୁସାରେ:
- ଡିଜେଲ କେବଳ ଗାଡ଼ିର ଟ୍ୟାଙ୍କ କିମ୍ବା PESO ଅନୁମୋଦିତ ପାତ୍ରରେ ଦିଆଯିବ।
- ଖୁଚୁରା ପମ୍ପରୁ କିଣା ଡିଜେଲ ପୁଣି ବିକ୍ରି କରାଯାଇପାରିବ ନାହିଁ।
- ପ୍ରାରମ୍ଭିକ ଭାବେ ଏହି ବ୍ୟବସ୍ଥା ୯୦ ଦିନ ପର୍ଯ୍ୟନ୍ତ ଲାଗୁ ରହିପାରେ।
ସରକାର କହିଛନ୍ତି ଯେ ଏହି ପଦକ୍ଷେପର ଲକ୍ଷ୍ୟ ସାଧାରଣ ଗ୍ରାହକଙ୍କ ପାଇଁ ତେଲ ଯୋଗାଣକୁ ସୁନିଶ୍ଚିତ କରିବା, କଳାବଜାର ରୋକିବା ଓ ଯୋଗାଣ ବ୍ୟବସ୍ଥାକୁ ସ୍ଥିର ରଖିବା।




