ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO) ଭାରତର ଆଭ୍ୟନ୍ତରୀଣ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି। ଜୁନ୍ ୧୦ ଏବଂ ୧୧ ତାରିଖରେ କ୍ରମାଗତ ତିନୋଟି ସଫଳ ଉଡ଼ାଣ ପରୀକ୍ଷଣ ମାଧ୍ୟମରେ DRDO ଏକ ମଲ୍ଟି-ଲେୟାର୍ ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ (BMD) ସିଷ୍ଟମ୍ ଏବଂ ଏକ ନୂତନ ଆଣ୍ଟି-ସିପ୍ ମିସାଇଲ୍ର ସଫଳ ପ୍ରଦର୍ଶନ କରିଛି।
ରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି BMD ବ୍ୟବସ୍ଥା ଶତ୍ରୁପକ୍ଷର ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ୍ (ICBM) କୁ ମଧ୍ୟ ଆକାଶରେ ଧ୍ୱଂସ କରିବାକୁ ସକ୍ଷମ। ଏହି ସଫଳତା ସହ ଭାରତ ବିଶ୍ୱର ସେହି ଅଳ୍ପ କେତେକ ଅଭିଜ୍ଞ ଦେଶଗୁଡ଼ିକ ମଧ୍ୟରେ ସାମିଲ ହୋଇଛି, ଯାହାଙ୍କ ପାଖରେ ଏଭଳି ଅତ୍ୟାଧୁନିକ ପ୍ରତିରକ୍ଷା ପ୍ରଣାଳୀ ରହିଛି।
ଏହା ବ୍ୟତୀତ, DRDO ନୌସେନା ପାଇଁ ପ୍ରଥମ ଥର ପାଇଁ ‘ନାଭାଲ୍ ଆଣ୍ଟି-ସିପ୍ ମିସାଇଲ୍-ମିଡିୟମ୍ ରେଞ୍ଜ୍’ (NASM-MR) ର ମଧ୍ୟ ପ୍ରଥମ ସଫଳ ଉଡ଼ାଣ ପରୀକ୍ଷଣ କରିଛି। ଏହା ଭାରତୀୟ ସେନାର ସାମୁଦ୍ରିକ ଆକ୍ରମଣ କ୍ଷମତାକୁ ବହୁଗୁଣିତ କରିବ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ DRDO ଅଧ୍ୟକ୍ଷ ରାଜେଶ କୁମାର ସିଂ ଏହି ପରୀକ୍ଷଣକୁ ନିକଟରୁ ନିରୀକ୍ଷଣ କରିବା ସହ ବୈଜ୍ଞାନିକ, ଇଞ୍ଜିନିୟର ଓ ସହଯୋଗୀ ଶିଳ୍ପ ସଂସ୍ଥାଗୁଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପରୀକ୍ଷଣ ଭାରତର ‘ଆତ୍ମନିର୍ଭରଶୀଳତା’ ଓ ପ୍ରତିରକ୍ଷା କ୍ଷେତ୍ରରେ ସାମରିକ ସ୍ଥିତିକୁ ଆହୁରି ମଜବୁତ କରିବ।




