ପାଟନା: ବିହାର ପାଟନାର କୋଚିଂ ସଂସ୍ଥାଗୁଡ଼ିକ ମଧ୍ୟରେ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ଜେଲ୍‌ରୁ ଜାମିନରେ ମୁକୁଳିବା ପରେ ‘ଜ୍ଞାନ ବିନ୍ଦୁ କୋଚିଂ ଇନଷ୍ଟିଚ୍ୟୁଟ୍’ର ରୌସନ ଆନନ୍ଦ ଏକ ସାମ୍ବାଦିକ ସମ୍ମିଳନୀ କରି ଚର୍ଚ୍ଚିତ ଶିକ୍ଷକ ଫୈସଲ ଖାନ୍ (ଖାନ୍ ସାର୍)ଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଭଳି ଅନେକ ସଂଗୀନ ଅଭିଯୋଗ ଆଣିଛନ୍ତି।

ରୌସନ ଆନନ୍ଦଙ୍କ ଦାବି ଅନୁଯାୟୀ, ସେ ବେଉର ଜେଲ୍‌ରେ ଥିବା ସମୟରେ ଖାନ୍ ସାର୍‌ଙ୍କ ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ସେହି ଜେଲ୍‌କୁ ଆସିଥିଲେ ଏବଂ ତାଙ୍କୁ ଜେଲ୍ ଭିତରେ ମାରିଦେବାକୁ ଚେଷ୍ଟା କରିଥିଲେ। ଜେଲ୍ କର୍ତ୍ତୃପକ୍ଷଙ୍କ ଯୋଗୁଁ ତାଙ୍କ ଜୀବନ ବଞ୍ଚିଯାଇଥିଲା।

ଗତ ଜୁନ୍ ୧୩ ରେ ତାଙ୍କୁ ସାଲିସ୍ କରିବାକୁ ଧମକ ଦିଆଯାଇଥିଲା ଏବଂ ଏହା ନକରିବାରୁ ନେପାଳର ଏକ ହୋଟେଲ୍‌ରୁ ତାଙ୍କ ଭାଇ ପ୍ରିନ୍ସ ଯାଦବଙ୍କ ସନ୍ଦେହଜନକ ମୃତଦେହ ମିଳିଥିଲା। ଏହା ପ୍ରାକୃତିକ ମୃତ୍ୟୁ ନୁହେଁ, ବରଂ ଏକ ବଡ଼ ଷଡ଼ଯନ୍ତ୍ର ବୋଲି ରୌସନ ଅଭିଯୋଗ କରିଛନ୍ତି।

ରୌସନ ଆନନ୍ଦ ଏହି ସମ୍ପୂର୍ଣ୍ଣ ମାମଲାର ସିବିଆଇ (CBI) ତଦନ୍ତ ଏବଂ ତାଙ୍କ ଭାଇଙ୍କ ଶବର ପୁନଃ ବ୍ୟବଚ୍ଛେଦ ପାଇଁ ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଖାନ୍ ସାର୍‌ଙ୍କୁ ରାଜନୈତିକ ସଂରକ୍ଷଣ ମିଳୁଛି, ଯେଉଁଥିପାଇଁ ପୋଲିସ ଗୁଳିଚାଳନା ଓ ଷଡ଼ଯନ୍ତ୍ର ମାମଲାରେ ବି ତାଙ୍କୁ ଗିରଫ କରୁନାହିଁ।ଅନ୍ୟପଟେ ସହରସାସ୍ଥିତ ପୈତୃକ ଗ୍ରାମରେ ପ୍ରିନ୍ସଙ୍କ ମୃତଦେହ ପହଞ୍ଚିବା ପରେ ପରିବାରରେ କାନ୍ଦବୋବାଲି ପଡ଼ିଯାଇଛି।

ମା’ ମଧ୍ୟ ପୁଅର ଅସୁସ୍ଥତା ଖବରକୁ ପ୍ରତ୍ୟାଖ୍ୟାନ କରି ଏହାକୁ ହତ୍ୟା ବୋଲି କହିଛନ୍ତି। କୋଚିଂ ସେଣ୍ଟର ଭଙ୍ଗାରୁଜା ମାମଲାରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ଭାରତ ଓ ନେପାଳ ପୋଲିସ ପାଇଁ ଏକ ବଡ଼ ତଦନ୍ତର ବିଷୟ ପାଲଟିଛି।