ଇଭିଆନ୍ (ଫ୍ରାନ୍ସ): ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ କରିବା ଏବଂ ବିଶ୍ୱ ଶକ୍ତି ବଜାରକୁ ସ୍ଥିର କରିବା ଦିଗରେ ଏକ ବଡ଼ ସଫଳତା ମିଳିଛି। ଇରାନ ସହିତ ସ୍ୱାକ୍ଷରିତ ଏକ ନୂତନ ଚୁକ୍ତିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ସ୍ୱାଗତ କରିଛନ୍ତି। ଏହି ଐତିହାସିକ ଚୁକ୍ତି ଫଳରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ‘ହରମୁଜ ପ୍ରଣାଳୀ’ (Strait of Hormuz) ଆସନ୍ତା ଶୁକ୍ରବାର ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଖୋଲିଯିବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି।

ଫ୍ରାନ୍ସର ଇଭିଆନ୍‌ଠାରେ ଚାଲିଥିବା ଜି-୭ (G7) ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହାକୁ ଏକ “ଶାନ୍ତି ଚୁକ୍ତି” ଭାବେ ଅଭିହିତ କରି ମାକ୍ରୋନ୍ କହିଛନ୍ତି ଯେ, ଏହା ପ୍ରଥମେ ଇରାନର ପରମାଣୁ ସମସ୍ୟାର ସମାଧାନ କରିବ, ଯାହା ସମଗ୍ର ବିଶ୍ୱର ଶାନ୍ତି ପାଇଁ ଅତ୍ୟନ୍ତ ଜରୁରୀ। ଏହାସହ ଲେବାନନ୍‌ରେ ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟ ଆନ୍ତର୍ଜାତୀୟ ସମୁଦାୟ ସହ ମିଶି ଫ୍ରାନ୍ସ ଦାୟିତ୍ୱ ନେବାକୁ ପ୍ରସ୍ତୁତ ବୋଲି ସେ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଏହି ଚୁକ୍ତିର ମୂଳ ଉଦ୍ଦେଶ୍ୟ ହେଉଛି ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବା। ଇରାନ ଏଥିରେ ସମ୍ପୂର୍ଣ୍ଣ ସହମତ ହୋଇଛି। ଚୁକ୍ତିର ପ୍ରଭାବ ବିଶ୍ୱ ବଜାରରେ ଦେଖିବାକୁ ମିଳିଲାଣି; ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଉଥିବା ବେଳେ ଶେୟାର ବଜାରରେ ବଡ଼ ସୁଧାର ଆସିଛି।

ଆସନ୍ତା ଶୁକ୍ରବାର ପରେ ଏହି ଚୁକ୍ତିର ସବିଶେଷ ତଥ୍ୟ ସାର୍ବଜନୀନ କରାଯିବ ଏବଂ ଏହାର ଆନୁଷ୍ଠାନିକ ସ୍ୱାକ୍ଷର ସମାରୋହରେ ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ ପ୍ରତିନିଧିତ୍ୱ କରିବେ। ଇରାନ ମାମଲା ଶେଷ ହେବା ପରେ ଆମେରିକା ଏବେ ରୁଷ-ୟୁକ୍ରେନ ଯୁଦ୍ଧ ସମାଧାନ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବ ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି।