ନୂଆଦିଲ୍ଲୀ: ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀର ଜଳବଣ୍ଟନ ବିବାଦକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୁ ନୂଆଦିଲ୍ଲୀରେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଏକ ୧୧ ଦିନିଆ ଉଚ୍ଚସ୍ତରୀୟ ଓ ଗହନ ଆଲୋଚନା ଆରମ୍ଭ ହେବାକୁ ଯାଉଛି।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଜୁନ୍ ୧୬ ରୁ ଜୁନ୍ ୨୬, ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ଉଭୟ ରାଜ୍ୟର ବୈଷୟିକ ଏବଂ ଆଇନଗତ ପ୍ରତିନିଧି ଦଳ ସାମିଲ ହୋଇ ଜଳବଣ୍ଟନର ବିଭିନ୍ନ ଜଟିଳ ବିଷୟ ଉପରେ ବିସ୍ତୃତ ଆଲୋଚନା କରିବେ। ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ, ଏହି ଆଲୋଚନା ପାଇଁ ଦୁଇ ରାଜ୍ୟ ପୂର୍ବରୁ ଅନୁରୋଧ କରିଥିଲେ। ଆବଶ୍ୟକ ସ୍ଥଳେ ଏଥିରେ କେନ୍ଦ୍ରୀୟ ଜଳ ଆୟୋଗ ର ସହାୟତା ମଧ୍ୟ ନିଆଯିବ।
ଏହି ୧୧ ଦିନିଆ ଆଲୋଚନାରୁ ଯାହା ବି ନିଷ୍କର୍ଷ ବାହାରିବ, ତାହାକୁ ଏକ ରିପୋର୍ଟ ଆକାରରେ ଟ୍ରିବ୍ୟୁନାଲ୍ଙ୍କ ନିକଟରେ ଦାଖଲ କରାଯିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୨୭ ତାରିଖରେ ହେବାକୁ ଦିନ ଧାର୍ଯ୍ୟ ହୋଇଛି। ଦୀର୍ଘ ଦିନର ଏହି ବିବାଦ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ହେବା ଦିଗରେ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି।




