ବଲାଙ୍ଗୀର: କଣ୍ଟାବାଞ୍ଜିର ବିକାଶ ଦାବିରେ ଆଜି (ମଙ୍ଗଳବାର) ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି, ଯାହାଫଳରେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହରରେ ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଅଞ୍ଚଳର ବିକାଶ ପାଇଁ ୧୫ ଦଫା ଦାବି ନେଇ କଣ୍ଟାବାଞ୍ଜି ଟ୍ରକ୍ ମାଲିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ସଟ୍‌ଡାଉନ୍ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ବିକ୍ଷୋଭକାରୀମାନେ ଇନ୍ଦିରା ଛକଠାରେ ଏକାଠି ହୋଇ ପ୍ରତିବାଦ କରୁଥିବା ବେଳେ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ରାସ୍ତା ଅବରୋଧ କରାଯାଇଛି। ଏହି ବନ୍ଦ ପ୍ରଭାବରେ ସ୍ଥାନୀୟ ବଜାର ଓ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ଗାଡ଼ିମୋଟର ଚଳାଚଳ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି। କଣ୍ଟାବାଞ୍ଜିରେ ଇଞ୍ଜିନିୟରିଂ, କୃଷି ଏବଂ ନର୍ସିଂ କଲେଜ ପ୍ରତିଷ୍ଠା ସହିତ ଶିଳ୍ପାୟନ ଓ ଭିତ୍ତିଭୂମିର ସାମଗ୍ରିକ ବିକାଶ ପାଇଁ ସଂଘ ଦାବି କରିଛି। ସହରର ଅନେକ ସ୍ଥାନୀୟ ସଂଗଠନ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।

ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଲୋକେ ଏହି ଅବରୋଧ ଯୋଗୁଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେବେ ଜରୁରୀକାଳୀନ ସେବା ଯେପରିକି ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଏବଂ ବିଦ୍ୟୁତ ବିଭାଗ ଗାଡ଼ିକୁ ବନ୍ଦରୁ ମୁକ୍ତ ରଖାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଏବଂ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରତିବାଦ ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।