କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ପିଲାଚୋର ସନ୍ଦେହକୁ କେନ୍ଦ୍ର କରି ଦୁଇଜଣ ଏନ୍‌ଜିଓ କର୍ମୀ ଆକ୍ରମଣର ଶିକାର ହୋଇଛନ୍ତି। ଆହତ ଦୁଇଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି। ପରେ ସେମାନେ କୌଣସି ଅପରାଧୀ ନୁହେଁ, ବରଂ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀ ବୋଲି ସ୍ପଷ୍ଟ ହୋଇଥିଲା।


ସୂଚନା ଅନୁଯାୟୀ, ଦିଲ୍ଲୀର ଆଜାଦପୁର ଅଞ୍ଚଳର ସୁମନ ଝାପ ଏବଂ ଗୁଜରାଟର ସୁରତ ନିବାସୀ ଅପିତା ସୁତାରିଆ ଏକ ଗ୍ରାମବିକାଶ ସଂସ୍ଥା ସହ ଜଡ଼ିତ ଅଛନ୍ତି। ଉଭୟେ ସ୍କୁଟିରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ିରୁ କଳାହାଣ୍ଡିର ଥୁଆମୂଳ ରାମପୁର ଅଭିମୁଖେ ଯାଉଥିଲେ। ଅଞ୍ଚଳ ସମ୍ପର୍କରେ ଅପରିଚିତ ଥିବାରୁ ସେମାନେ ଗୁଗୁଲ ମ୍ୟାପ୍‌ର ସହାୟତା ନେଇଥିଲେ।


ଧାମୁଣିପଙ୍ଗା ପଞ୍ଚାୟତର କାନ୍ଦୁଲଗୁଡ଼ା ନିକଟରେ ଘାଟି ରାସ୍ତା ହେତୁ ସ୍କୁଟିର ଗତି କମିଯାଇଥିଲା। ଏହି ସମୟରେ ସ୍ଥାନୀୟ କିଛି ଲୋକ ସନ୍ଦେହ କରି ସେମାନଙ୍କୁ ଅଟକାଇଥିଲେ। ପରେ ପିଲାଚୋର ସନ୍ଦେହରେ ବଚସା ଓ ଟଣାଓଟରା ହେବା ସହ ଅନ୍ୟ ଲୋକମାନେ ମଧ୍ୟ ସେଠାରେ ପହଞ୍ଚି ଉଭୟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।


ପରିସ୍ଥିତି ଗୁରୁତର ହେବାରୁ ଉଭୟ କର୍ମୀ ସ୍କୁଟି ଛାଡ଼ି ପଳାଇ ନିକଟସ୍ଥ ଥାନାରେ ଆଶ୍ରୟ ନେଇଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା।


ଘଟଣା ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଲୋକଙ୍କ ଭିଡ଼ ଜମିଥିଲା। ପରେ କଲ୍ୟାଣସିଂହପୁର ଥାନା ପୁଲିସ, ଚାନ୍ଦିଲି ପୁଲିସ ଓ ବରିଷ୍ଠ ଅଧିକାରୀମାନେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଆହତ ଦୁଇଜଣଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।