ନୂଆଦିଲ୍ଲୀ: ଦେଶର ସ୍ଥଳ ଓ ସାମୁଦ୍ରିକ ସୀମା ନିକଟରେ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଓ ରଣନୈତିକ ସ୍ଥାନକୁ ନେଇ ସମ୍ଭାବ୍ୟ ଡ୍ରୋନ୍ ବିପଦ ସମ୍ପର୍କିତ ସତର୍କ ସୂଚନା ପରେ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିଛନ୍ତି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟର ସାମୁଦ୍ରିକ ସୁରକ୍ଷା ବିଭାଗ ପକ୍ଷରୁ ଏନେଇ ସତର୍କତା ଜାରି ହୋଇଥିବା ସୂଚନା ମିଳିଛି।
ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନାରେ ସୀମା ଅଞ୍ଚଳ ଏବଂ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଡ୍ରୋନ୍-ନିରୋଧୀ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀ ଭିତ୍ତିରେ ପ୍ରତିରୋଧାତ୍ମକ ପଦକ୍ଷେପ ଗ୍ରହଣ ପାଇଁ ସମ୍ପର୍କିତ ଏଜେନ୍ସିମାନଙ୍କୁ ପରାମର୍ଶ ଦିଆଯାଇଛି।
ଏହି ପରିପ୍ରେକ୍ଷୀରେ ଗୃହ ମନ୍ତ୍ରଣାଳୟ ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଅଧୀନରେ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛି। କମିଟି ଦେଶ ପାଇଁ ଉପଯୁକ୍ତ ଆଣ୍ଟି-ଡ୍ରୋନ୍ ପ୍ରଯୁକ୍ତିର ପରୀକ୍ଷଣ ଓ ମୂଲ୍ୟାଙ୍କନ କରିବ। ସୀମାବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଏଭଳି ବ୍ୟବସ୍ଥା ସ୍ଥାପନ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି।
ସେହିପରି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ସିଆଇଏସ୍ଏଫ୍ ମଧ୍ୟ ଏକ ସମନ୍ୱିତ ଟିମ୍ ଗଠନ କରିଛି। ଏଥିରେ ପ୍ରତିରକ୍ଷା ଗବେଷଣା ସଂଗଠନ ଡିଆର୍ଡିଓ, ଇଣ୍ଟେଲିଜେନ୍ସ ବ୍ୟୁରୋ ଆଇବି, ଏୟାରପୋର୍ଟ ଅଥରିଟି ଓ ସୁରକ୍ଷା ସଂସ୍ଥାଗୁଡ଼ିକର ଅଧିକାରୀମାନେ ରହିଛନ୍ତି। ଏହି ଟିମ୍ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ସୁରକ୍ଷା ଆବଶ୍ୟକତା ଆକଳନ କରୁଛି।
ଏହି ମଧ୍ୟରେ ତାମିଲନାଡୁର ଥୁଥୁକୁଡ଼ି ସ୍ଥିତ ଭିଓ ଚିଦମ୍ବରମ ବନ୍ଦରରେ ଉନ୍ନତ ଆଣ୍ଟି-ଡ୍ରୋନ୍ ବ୍ୟବସ୍ଥା ସ୍ଥାପନ କରାଯାଇଥିବା ସୂଚନା ମିଳିଛି। ରେଡିଓ ଫ୍ରିକ୍ୱେନ୍ସି ଓ ରାଡାର ଆଧାରିତ ଏହି ବ୍ୟବସ୍ଥା ସନ୍ଦେହଜନକ ଡ୍ରୋନ୍କୁ ଚିହ୍ନଟ ଏବଂ ପ୍ରୟୋଜନରେ ନିଷ୍କ୍ରିୟ କରିବାରେ ସକ୍ଷମ ବୋଲି କୁହାଯାଇଛି।
ସୁରକ୍ଷା ଏଜେନ୍ସିମାନଙ୍କ ମତରେ, ଭବିଷ୍ୟତର ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ଡ୍ରୋନ୍ ପ୍ରତିରୋଧ କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବା ଉପରେ ଏବେ ଜୋର ଦିଆଯାଉଛି।




