ଲକ୍ଷ୍ନୌ: ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରି ଆଫଗାନିସ୍ତାନକୁ ୧୭୦ ରନ୍ରେ ପରାସ୍ତ କରିଛି। ବ୍ୟାଟିଂରେ ଶୁଭମନ ଗିଲ୍ ଓ ଈଶାନ କିଶନଙ୍କ ଶତକୀୟ ପାଳି ପରେ ବୋଲରମାନଙ୍କ ନିୟନ୍ତ୍ରିତ ପ୍ରଦର୍ଶନ ଭାରତକୁ ବଡ଼ ବିଜୟ ଦେଇଛି।
ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆଫଗାନିସ୍ତାନ ୪୦୩ ରନ୍ର ବିଶାଳ ଲକ୍ଷ୍ୟ ପିଛା କରିଥିଲା। କିନ୍ତୁ ଦଳ ୪୪.୪ ଓଭରରେ ୨୩୨ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।
ଆଫଗାନିସ୍ତାନ ପକ୍ଷରୁ ରହମତ ଶାହ ସର୍ବାଧିକ ୭୯ ରନ୍ କରିଥିଲେ। ସିଦ୍ଦିକୁଲ୍ଲା ଅଟଳ ୪୨, ରହମାନୁଲ୍ଲା ଗୁରବାଜ ୪୧ ଏବଂ ଇବ୍ରାହିମ ଜର୍ଦାନ ୨୧ ରନ୍ ଯୋଗ କରିଥିଲେ। ଅନ୍ୟ ବ୍ୟାଟରମାନେ ବଡ଼ ଭାଗିଦାରୀ ଗଢ଼ିବାରେ ବିଫଳ ହୋଇଥିଲେ।
ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଓ ଗୁରନୁର ବ୍ରାର ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ପ୍ରୀନ୍ସ ଯାଦବ ୨ଟି ଏବଂ ୱାସିଂଟନ ସୁନ୍ଦର ଗୋଟିଏ ସଫଳତା ପାଇଥିଲେ।
ଏହା ପୂର୍ବରୁ ଟସ୍ ଜିତି ଆଫଗାନିସ୍ତାନ ପ୍ରଥମେ ବୋଲିଂ ନେଇଥିଲା। ତେବେ ଭାରତୀୟ ବ୍ୟାଟରମାନେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଦେଖାଇଥିଲେ। ଦଳ ମାତ୍ର ୯ ରନ୍ରେ ଯଶସ୍ୱୀ ଜୟସ୍ବାଲଙ୍କ ୱିକେଟ୍ ହରାଇଥିଲେ ମଧ୍ୟ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଇନିଂସକୁ ସ୍ଥିର କରିଥିଲେ।
ରୋହିତ ୪୮ ରନ୍ କରିଥିବାବେଳେ ଶୁଭମନ ଗିଲ୍ ଅଧିନାୟକୀୟ ଇନିଂସ ଖେଳି ୧୫୪ ରନ୍ ସଂଗ୍ରହ କରିଥିଲେ। ସେ ୧୧୦ଟି ବଲ୍ରେ ୨୨ଟି ଚୌକା ଓ ୨ଟି ଛକା ମାରିଥିଲେ।
ତୃତୀୟ ୱିକେଟ୍ରେ ଗିଲ୍ ଓ ଈଶାନ କିଶନଙ୍କ ଯୋଡ଼ି ମ୍ୟାଚ୍ର ଦିଗ ବଦଳାଇ ଦେଇଥିଲା। ଈଶାନ ୭୯ଟି ବଲ୍ରେ ୧୨୫ ରନ୍ କରି ୧୪ଟି ଚୌକା ଓ ୭ଟି ଛକା ମାରିଥିଲେ। ଏହି ଭାଗିଦାରୀ ସମୟରେ ଭାରତର ସ୍କୋର ୩୨୦ ରନ୍ରେ ପହଞ୍ଚିଥିଲା।
ଶେଷରେ ଭାରତ ୪୯.୫ ଓଭରରେ ୪୦୨ ରନ୍ କରି ଆଫଗାନିସ୍ତାନ ସମ୍ମୁଖରେ ବଡ଼ ଲକ୍ଷ୍ୟ ରଖିଥିଲା ଏବଂ ପରେ ବୋଲରମାନଙ୍କ ଶୃଙ୍ଖଳିତ ପ୍ରଦର୍ଶନରେ ମ୍ୟାଚ୍କୁ ନିଜ ନାମରେ କରିନେଇଥିଲା।




