ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଓ ପୈତୃକ ଗାଁ ପାହାଡ଼ପୁର ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେବାର କାର୍ଯ୍ୟସୂଚୀ ରହିଥିବା ସୂଚନା ମିଳିଛି।

ଜୁନ୍‌ ୧୯ରେ ମଧ୍ୟପ୍ରଦେଶ ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମବଙ୍ଗର କଲେଇକୁଣ୍ଡା ଏୟାର ବେସ୍‌ ହୋଇ ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ। ସେଠାରୁ ସେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏମ୍ସ ପକ୍ଷରୁ ଆୟୋଜିତ ସ୍ୱାସ୍ଥ୍ୟ ଶିବିର ଉଦ୍‌ଘାଟନ କରିବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ।

ଏହା ପରେ ସେ ରାଇରଙ୍ଗପୁରରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ସହ ନିଜ ବାସଭବନରେ ରାତ୍ରିଯାପନ କରିବେ।

ଜୁନ୍‌ ୨୦ରେ ରାଷ୍ଟ୍ରପତି ପାହାଡ଼ପୁର ଗସ୍ତ କରିବେ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାହ୍ନରେ ପହଞ୍ଚି ରାଷ୍ଟ୍ରପତିଙ୍କ ସହ ଗାଁର ବିଭିନ୍ନ ଧାର୍ମିକ ଓ ସାମାଜିକ ସ୍ଥାନ ପରିଦର୍ଶନ କରିବେ। କାର୍ଯ୍ୟସୂଚୀ ଅନୁଯାୟୀ, ଉଭୟେ ଗୋଷାଣୀ ପୀଠ, ସ୍ଥାନୀୟ ଆଦିବାସୀ ପରମ୍ପରା ସହ ଜଡିତ ପୂଜାସ୍ଥଳ ପରିଦର୍ଶନ କରିବେ।

ପରେ ପାହାଡ଼ପୁର ସ୍ଥିତ ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ବିଦ୍ୟାଳୟ ପରିସରରେ ରାଷ୍ଟ୍ରପତିଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କ ସ୍ମୃତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବିଦ୍ୟାଳୟ ଓ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି।

ଏହାପରେ ରାଇରଙ୍ଗପୁରରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଉଭୟ ଯୋଗଦେବେ। ସେଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ସହ ଜନସଭାକୁ ଉଦ୍‌ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି।

କାର୍ଯ୍ୟକ୍ରମ ଶେଷ ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିବେ ଏବଂ ରାଷ୍ଟ୍ରପତି ପରବର୍ତ୍ତୀ ଗସ୍ତସୂଚୀ ଅନୁଯାୟୀ ରାଇରଙ୍ଗପୁରରୁ ଫେରିବେ।