ନୂଆଦିଲ୍ଲୀ: ଶ୍ରୀ ଅମରନାଥ ଜୀ ଯାତ୍ରା ରୁଟ୍‌ରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଏଥିପାଇଁ ୩,୫୦୦ କୋଟି ଟଙ୍କା ବ୍ୟୟରେ ୬୦ କିଲୋମିଟର ଦୀର୍ଘ ଏକ ସଡ଼କ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରାଯାଉଛି। କେନ୍ଦ୍ର ସଡ଼କ ପରିବହନ ଓ ମାର୍ଗ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଅଜୟ ଟାମଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି। ଜାମ୍ମୁ ଓ କାଶ୍ମୀରରେ ପର୍ଯ୍ୟଟନ ଏବଂ ତୀର୍ଥଯାତ୍ରା ଭିତ୍ତିଭୂମିର ଉନ୍ନତିକରଣ ପାଇଁ ଚାଲିଥିବା ବ୍ୟାପକ ଯୋଜନାର ଏହା ଏକ ପ୍ରମୁଖ ଅଂଶ।

ପ୍ରମୁଖ ପ୍ରକଳ୍ପ ଓ ଏହାର ବିଶେଷତ୍ୱ:

  • କାଟ୍ରା ଇଣ୍ଟରମୋଡାଲ୍ ଷ୍ଟେସନ: ଶ୍ରୀ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ୮୮୦ କୋଟି ଟଙ୍କା ବ୍ୟୟରେ ଏହି ଷ୍ଟେସନ ନିର୍ମାଣ ହେବ। ଏଠାରେ ରେଳ, ସଡ଼କ ଏବଂ ହେଲି-ସେବାକୁ ଏକତ୍ରିତ କରାଯିବ।
  • ରୋପୱେ ପ୍ରକଳ୍ପ: ରାଜ୍ୟରେ ପ୍ରାୟ ୩୦,୦୦୦ କୋଟି ଟଙ୍କାର ୫୪ଟି ରୋପୱେ ପ୍ରସ୍ତାବ ମିଳିଛି। ପ୍ରଥମ ପର୍ଯ୍ୟାୟରେ ୧୬,୦୦୦ କୋଟି ଟଙ୍କାର ୮ଟି ପ୍ରକଳ୍ପ ହାତକୁ ନିଆଯିବ, ଯେଉଁଥିରେ ଅମରନାଥ ଗୁମ୍ଫା, ଶଙ୍କରାଚାର୍ଯ୍ୟ ମନ୍ଦିର ଏବଂ ଦୁଧପଥରୀ ଭଳି ପ୍ରମୁଖ ସ୍ଥାନ ସାମିଲ ରହିଛି।
  • ହାଇ-ସ୍ପିଡ୍ କରିଡର: ବର୍ତ୍ତମାନ ୫୦,୦୦୦ କୋଟି ଟଙ୍କା ବ୍ୟୟରେ ଜାମ୍ମୁ-ଶ୍ରୀନଗର ଏବଂ ଶ୍ରୀନଗର-ବାରାମୁଲ୍ଲା ସମେତ ୪ଟି ପ୍ରମୁଖ ହାଇ-ସ୍ପିଡ୍ କରିଡର ନିର୍ମାଣାଧୀନ ଅଛି। ଏହା ସାମରିକ ଗତିଶୀଳତା ଏବଂ ବାଣିଜ୍ୟକୁ ବେଗବାନ କରିବ।
  • ଦିଲ୍ଲୀ-ଅମୃତସର-କାଟ୍ରା ଏକ୍ସପ୍ରେସୱେ: ୪୧,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ୬୭୦ କିଲୋମିଟର ବିଶିଷ୍ଟ ଏକ୍ସପ୍ରେସୱେ ମଧ୍ୟରୁ ଜାମ୍ମୁ-କାଶ୍ମୀର ଅଂଶରେ ଥିବା ୧୪୩ କିଲୋମିଟର ରାସ୍ତା ଅଗଷ୍ଟ ୨୦୨୭ ସୁଦ୍ଧା ଶେଷ ହେବ, ଯାହା ଦିଲ୍ଲୀରୁ କାଟ୍ରା ମଧ୍ୟରେ ଦୂରତାକୁ ୫୮ କିଲୋମିଟର କମାଇଦେବ।

ସହରୀ ଯାତାୟାତ ସମସ୍ୟାର ସମାଧାନ ପାଇଁ ଶ୍ରୀନଗର ଓ ଜାମ୍ମୁରେ ରିଙ୍ଗ୍ ରୋଡ୍ ପ୍ରକଳ୍ପ କାମ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ଏହା ବ୍ୟତୀତ, ଆଗାମୀ ପର୍ଯ୍ୟାୟରେ ୬୫,୦୦୦ କୋଟି ଟଙ୍କାର ୭୦୭ କିଲୋମିଟର ଜାତୀୟ ରାଜପଥ ପାଇଁ DPR ପ୍ରସ୍ତୁତ କରାଯାଉଛି, ଯେଉଁଥିରେ ସାଧନା ଟନେଲ ଓ ପୀର କି ଗଲି ଟନେଲ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସାମିଲ ରହିଛି।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ନିକଟରେ ଜୋଜିଲା ଟନେଲ (Zojila Tunnel) ପରିଦର୍ଶନ କରି ଏହାର ବ୍ରେକଥ୍ରୁ ବ୍ଲାଷ୍ଟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜାମ୍ମୁ କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଏହି ରଣନୀତିକ ଭାବେ ଗୁରୁତ୍ୱପୂର୍ଣ୍ଣ ଜୋଜିଲା ଟନେଲ ୨୦୨୮ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।