ଭୁବନେଶ୍ଵର: ଗ୍ରାମାଞ୍ଚଳର ବିକାଶ ଓ ରୋଜଗାର କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର । ରାଜ୍ୟରେ ଆନୁଷ୍ଠାନିକ ଭାବେ ଲାଗୁ ହେବାକୁ ଯାଉଛି‘ବିକଶିତ ଭାରତ-ଗ୍ରାମୀଣ ରୋଜଗାର ଓ ଆଜୀବିକା ମିଶନ (ଭିବି- ଜୀ ରାମ ଜୀ / VB-G RAM G)’ ଯୋଜନା। ପୂର୍ବରୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିବା ପରେ ଏବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହାର ବିସ୍ତୃତ ଗାଇଡ୍‌ଲାଇନ୍ ସହ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆସନ୍ତା ୧ ଜୁଲାଇ ୨୦୨୬ରୁ ଏହି ଯୋଜନା ସମଗ୍ର ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହେବ। ଏହାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଲା ପ୍ରତ୍ୟେକ ଯୋଗ୍ୟ ଗ୍ରାମୀଣ ପରିବାରକୁ ବର୍ଷକୁ ୧୨୦ ଦିନର ଅକୁଶଳ ଶ୍ରମଭିତ୍ତିକ କାମ ଯୋଗାଇ ଦିଆଯିବ। ଆବେଦନ କରିବାର 15 ଦିନ ମଧ୍ୟରେ ଯଦି କାମ ନମିଳେ, ତେବେ ସରକାର ବେକାରୀ ଭତ୍ତା ପ୍ରଦାନ କରିବେ। ମଜୁରୀ ପ୍ରଦାନରେ ବିଳମ୍ବ ହେଲେ ଶ୍ରମିକଙ୍କୁ କ୍ଷତିପୂରଣ ଦେବାର ସ୍ପଷ୍ଟ ନିୟମ କରାଯାଇଛି। କେବଳ କାମ ଯୋଗାଇବା ନୁହେଁ, ବରଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ।

ଏହା ଅଧୀନରେ ଜଳ ସଂରକ୍ଷଣ, କୃଷି ଉତ୍ପାଦନ ବୃଦ୍ଧି, ସ୍ଥାୟୀ ଜୀବିକା ସୃଷ୍ଟି ଏବଂ ଜଳବାୟୁ-ସହନଶୀଳ ଗ୍ରାମ ଗଠନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।ଏହି ଯୋଜନାକୁ କେନ୍ଦ୍ର ସରକାରଙ୍କ ‘ବିକଶିତ ଭାରତ-୨୦୪୭’ ରୋଡମାପ୍ ସହ ଯୋଡ଼ା ଯାଇଛି, ଯାହା ଓଡ଼ିଶାର ଗ୍ରାମୀଣ ଭିତ୍ତିଭୂମିକୁ ଏକ ନୂଆ ଦିଶା ଦେବ ବୋଲି ଆଶା କରାଯାଉଛି।