ଲଣ୍ଡନ: କ୍ରିକେଟ୍ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି ଲର୍ଡସ୍ ମଇଦାନ। ଆସନ୍ତା ଜୁଲାଇ ୧୦ରୁ ୧୩ ପର୍ଯ୍ୟନ୍ତ ଇଂଲଣ୍ଡର ଏହି ଐତିହାସିକ ଭେନ୍ୟୁରେ ପ୍ରଥମ ଥର ପାଇଁ ଏକ ମହିଳା ଟେଷ୍ଟ ମ୍ୟାଚ୍ ଆୟୋଜିତ ହେବ। ଏହି ବିଶେଷ ମୁକାବିଲାରେ ଭାରତ ଓ ଇଂଲଣ୍ଡ ମହିଳା ଦଳ ଆମନାସାମନା ହେବେ।
ଏହି ଐତିହାସିକ ଟେଷ୍ଟ ପାଇଁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ନାଟ୍ ସିଭର-ବ୍ରଣ୍ଟଙ୍କ ନେତୃତ୍ୱରେ ଦଳ ଘୋଷଣା କରିଛି। ଦଳରେ ଅଭିଜ୍ଞ ଖେଳାଳିଙ୍କ ସହ ଯୁବ ପ୍ରତିଭାମାନଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି।
ଇଂଲଣ୍ଡ ଦଳରେ ହିଥର ନାଇଟ୍, ଟାମି ବିଉମଣ୍ଟ ଓ ଆମି ଜୋନ୍ସଙ୍କ ଭଳି ଅଭିଜ୍ଞ ଖେଳାଳି ରହିଥିବାବେଳେ ପାଞ୍ଚ ଜଣ ନୂଆ ମୁହଁଙ୍କୁ ଟେଷ୍ଟ ସ୍କ୍ୱାଡ୍ରେ ସୁଯୋଗ ମିଳିଛି। ଆଲିସ୍ କ୍ୟାପସେ, ଟିଲ୍ଲି କୋର୍ଟିନ୍-କୋଲ୍ମ୍ୟାନ, ମାଡି ଭିଲର୍ସ, ଗ୍ରେସ୍ ପଟ୍ସ ଓ ଏଲି ଥ୍ରେଲ୍କେଲ୍ଡ ପ୍ରଥମଥର ପାଇଁ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି। ସେଥିମଧ୍ୟରୁ ପଟ୍ସ ଓ ଥ୍ରେଲ୍କେଲ୍ଡଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ରେ ଏହା ପଦାର୍ପଣ ହେବ।
ଅନ୍ୟପଟେ, ପୂର୍ବ ଆସେସ୍ ଶୃଙ୍ଖଳାରେ ଖେଳିଥିବା ସୋଫିଆ ଡନକ୍ଲେ, ବେସ୍ ହିଥ୍, ଚାର୍ଲି ଡିନ୍ ଓ ରିୟାନା ମାକ୍ଡୋନାଲ୍ଡ ଗେଙ୍କୁ ଏଥର ଦଳରେ ସ୍ଥାନ ମିଳିନାହିଁ।
ଉଲ୍ଲେଖଯୋଗ୍ୟ, ଲର୍ଡସ୍ ମଇଦାନରେ ୧୯୭୬ ମସିହାରେ ପ୍ରଥମ ଥର ପାଇଁ ମହିଳା ଦିନିକିଆ ମ୍ୟାଚ୍ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। କିନ୍ତୁ ପ୍ରାୟ ପାଞ୍ଚ ଦଶକ ପରେ ଏବେ ପ୍ରଥମ ଥର ପାଇଁ ସେହି ଐତିହାସିକ ଭେନ୍ୟୁରେ ମହିଳା ଟେଷ୍ଟ କ୍ରିକେଟ୍ ଆୟୋଜିତ ହେବାକୁ ଯାଉଛି।




