ନୂଆଦିଲ୍ଲୀ: ଭାରତ ଓ ବ୍ରିଟେନ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟ ରାଜିନାମା (ସିଇଟିଏ) ଆସନ୍ତା ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବ। ଉଭୟ ଦେଶର ପ୍ରଧାନମନ୍ତ୍ରୀ ଏହି ତାରିଖକୁ ଅନୁମୋଦନ କରିଥିବା ଜଣାପଡ଼ିଛି। ଚୁକ୍ତି ସ୍ୱାକ୍ଷର ପରେ ଏତେ କମ୍ ସମୟ ମଧ୍ୟରେ ଏହାକୁ ଲାଗୁ କରାଯିବା ବ୍ରିଟେନର ବାଣିଜ୍ୟ ଇତିହାସରେ ଏକ ଦ୍ରୁତ ପଦକ୍ଷେପ ଭାବେ ଦେଖାଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ରାଜିନାମା ଭାରତ-ବ୍ରିଟେନ ସମ୍ପର୍କରେ ଏକ ଐତିହାସିକ ମାଇଲଖୁଣ୍ଟ। ଏହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ନିବେଶକୁ ନୂଆ ଗତି ଦେବା ସହ ଭାରତର କୃଷକ, ଶ୍ରମିକ, ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍ ଓ ନବସୃଜନକାରୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ।
ସୂଚନାଯୋଗ୍ୟ, ୨୦୨୫ ଜୁଲାଇ ୨୪ରେ ଏହି ରାଜିନାମା ସ୍ୱାକ୍ଷର ହୋଇଥିଲା। କିନ୍ତୁ କେତେକ ପ୍ରକ୍ରିୟାଗତ କାରଣରୁ ଏହା କାର୍ଯ୍ୟକାରୀ ହେବାରେ ବିଳମ୍ବ ହୋଇଥିଲା।
ରାଜିନାମା ଲାଗୁ ହେବା ପରେ ଭାରତକୁ ଆମଦାନି ହେଉଥିବା ବ୍ରିଟିଶ୍ ସାମଗ୍ରୀ ଉପରେ ଶୁଳ୍କରେ ପରିବର୍ତ୍ତନ ଆସିବ। ସ୍କଚ୍ ହ୍ୱିସ୍କି, ଅଟୋମୋବାଇଲ ଓ ପ୍ରସାଧନ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରାଯିବାକୁ ଥିବାବେଳେ ଭାରତରୁ ରପ୍ତାନି ହେଉଥିବା ପୋଷାକ, ଜୋତା ଏବଂ ବିଭିନ୍ନ ଖାଦ୍ୟ ପଦାର୍ଥକୁ ମଧ୍ୟ ବ୍ରିଟେନ ପକ୍ଷରୁ ଶୁଳ୍କ ରିହାତି ମିଳିବ।
ଏହି ଚୁକ୍ତି ଦ୍ୱାରା ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସହଯୋଗ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି।




