ଅମରାବତୀ: ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀ ଜିଲ୍ଲାରେ ଏକ ବଡ଼ ଧରଣର ବସ ଦୁର୍ଘଟଣା ଟଳିଯାଇଛି। ଭୁବନେଶ୍ୱରରୁ ଚେନ୍ନାଇ ଅଭିମୁଖେ ଯାଉଥିବା ଏକ ବେସରକାରୀ ସ୍ଲିପର ବସରେ ଗୁରୁବାର ବିଳମ୍ବିତ ରାତିରେ ହଠାତ ନିଆଁ ଲାଗିଯାଇଥିଲା। ତେବେ ଡ୍ରାଇଭରଙ୍କ ସତର୍କତା ଏବଂ ଗାଡ଼ିର ସ୍ୱୟଂଚାଳିତ ଆଲାର୍ମ ସିଷ୍ଟମ ଯୋଗୁଁ ବସରେ ଥିବା ସମସ୍ତ ୩୫ ଜଣ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି। ଯାତ୍ରୀମାନେ ଓହ୍ଲାଇବାର କିଛି ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ବସଟି ଜଳି ପାଉଁଶ ହୋଇଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରାତିରେ ଏକ ହୋଟେଲରେ ଖାଇବା ସାରି ବସଟି ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲି ମଣ୍ଡଳ ଅନ୍ତର୍ଗତ ରେଗୁପାଲେମ୍ ଜଙ୍କସନ ନିକଟରେ ଯାଉଥିବା ବେଳେ ଏହାର ଇଞ୍ଜିନରୁ ହଠାତ୍ କଳା ଧୂଆଁ ବାହାରିଥିଲା। ବସରେ ଲାଗିଥିବା ଅଟୋମେଟିକ୍ ଆଲାର୍ମ ତୁରନ୍ତ ଡ୍ରାଇଭରଙ୍କୁ ସତର୍କ କରାଇ ଦେଇଥିଲା। ବିପଦକୁ ଆଖି ଆଗରେ ଦେଖି ଡ୍ରାଇଭର ଗାଡ଼ିକୁ ତୁରନ୍ତ ରାସ୍ତା କଡ଼କୁ ନେଇ ଅଟକାଇଥିଲେ ଏବଂ ଗଭୀର ନିଦ୍ରାରେ ଶୋଇଥିବା ଯାତ୍ରୀମାନଙ୍କୁ ତୁରନ୍ତ ବାହାରକୁ ବାହାରିବା ପାଇଁ ଚିତ୍କାର କରିଥିଲେ।

ସୂଚନା ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ୩ଟି ଦମକଳ ଗାଡ଼ି ସହ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ବସଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି କଙ୍କାଳ ହୋଇଯାଇଥିଲେ ମଧ୍ୟ ସୌଭାଗ୍ୟବଶତଃ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି।

ପ୍ରାଥମିକ ଯାଞ୍ଚରୁ ଶର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ ଚେନ୍ନାଇ ପଠାଇବା ପାଇଁ ଅନ୍ୟ ଏକ ବସର ବ୍ୟବସ୍ଥା କରାଯାଇଥିଲା। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଏବଂ ସାହସିକତା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିବାରୁ ସର୍ବସାଧାରଣରେ ତାଙ୍କୁ ପ୍ରଶଂସା କରାଯାଉଛି।