କାବୁଲ: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ସୀମା ବିବାଦ ଚରମ ସୀମାରେ ପହଞ୍ଚିଛି। ଏକ ବଡ଼ ପଦକ୍ଷେପ ସ୍ୱରୂପ, ଆଫଗାନିସ୍ତାନ ବାୟୁସେନା ପାକିସ୍ତାନ ସୀମା ମଧ୍ୟକୁ ପଶି ସେଠାରେ ସକ୍ରିୟ ଥିବା ISIS ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନର ଆଡ୍ଡା ଉପରେ ଭୟାବହ ଏୟାର ଷ୍ଟ୍ରାଇକ୍ କରିଥିବା ଦାବି କରିଛି। ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏହି ସୂଚନା ଦେଇଛି। ପାକିସ୍ତାନର ବାଲୋଚିସ୍ତାନ ଏବଂ ଖାଇବର ପାଖ୍ତୁନଖ୍ୱା ଅଞ୍ଚଳରେ ଏହି ରାତ୍ରୀକାଳୀନ ଆକ୍ରମଣ କରାଯାଇଛି।

ଆଫଗାନିସ୍ତାନ ମାଟିରେ ଆକ୍ରମଣର ବ୍ଲୁ-ପ୍ରିଣ୍ଟ୍‌ ହେଉଥିଲା ପ୍ରସ୍ତୁତ

କାବୁଲ ପକ୍ଷରୁ ଜାରି ବୟାନ ଅନୁଯାୟୀ, ଏହି ଆତଙ୍କବାଦୀ ଶିବିରଗୁଡ଼ିକ ଦୀର୍ଘ ଦିନ ହେବ ଆଫଗାନିସ୍ତାନ ବିରୋଧରେ ବଡ଼ ଧରଣର ହିଂସାକାଣ୍ଡ ଓ ଆତ୍ମଘାତୀ ଆକ୍ରମଣର ଯୋଜନା କରୁଥିଲେ। କେତେକ ଶତ୍ରୁ ଗୋଇନ୍ଦା ସଂସ୍ଥାର ସହଯୋଗରେ ଏହି କେନ୍ଦ୍ରଗୁଡ଼ିକ ପାକିସ୍ତାନ ମାଟିରେ ସକ୍ରିୟ ଥିଲେ, ଯାହାକୁ ଆଫଗାନିସ୍ତାନ ବାୟୁସେନା ସଫଳତାର ସହ ଧ୍ୱଂସ କରିଦେଇଛି।

ଏହି ସବୁ ଅଞ୍ଚଳରେ ହେଲା ବୋମା ବର୍ଷଣ

ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ, ବାଲୋଚିସ୍ତାନର କିଲା ଅବଦୁଲ୍ଲା ଜିଲ୍ଲାର ଗୁଲିସ୍ତାନ ଏବଂ ଚାଗାଇ ଜିଲ୍ଲାର ଶକାର ଅବ୍ ଜଙ୍ଗଲ ଗାର୍ଡି ଅଞ୍ଚଳରେ ଥିବା ଆଇସିସ୍ ଶିବିର ଉପରେ ମୁଖ୍ୟତଃ ଆକ୍ରମଣ କରାଯାଇଛି।

ଏହି ସାମରିକ କାର୍ଯ୍ୟାନୁଷ୍ଠାନ ପରେ ସମଗ୍ର ଦକ୍ଷିଣ ଏସିଆ ଅଞ୍ଚଳରେ ଭୂ-ରାଜନୈତିକ ପରିସ୍ଥିତି ଜଟିଳ ହୋଇପଡ଼ିଛି। ନିଜ ସୀମା ବାହାରକୁ ଯାଇ ସାମରିକ ଶକ୍ତି ପ୍ରଦର୍ଶନ କରି ଆଫଗାନିସ୍ତାନ ବିଶ୍ୱକୁ ଏକ ଶକ୍ତ ବାର୍ତ୍ତା ଦେଇଛି, ଯାହା ଆଗାମୀ ଦିନରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ବଢ଼ାଇ ଦେଇଛି।