ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୬ (NEET-UG 2026) ରି-ଟେଷ୍ଟ ପୂର୍ବରୁ କେନ୍ଦ୍ର ସରକାର ଟେଲିଗ୍ରାମ ଆପ୍‌ ଉପରେ ଲଗାଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଦିଲ୍ଲୀ ହାଇକୋର୍ଟ କାଏମ୍‌ ରଖିଛନ୍ତି। ଶୁକ୍ରବାର ଶୁଣାଣି ପରେ ଅଦାଲତ ଟେଲିଗ୍ରାମ ପକ୍ଷରୁ ଦାଖଲ ଆବେଦନକୁ ଖାରଜ କରିଦେଇଛନ୍ତି।

ବିଚାରପତି ତେଜସ କାରିଆ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପ୍ରାଥମିକ ଦୃଷ୍ଟିରୁ ଯୁକ୍ତିସଙ୍ଗତ ଓ ଆଇନସମ୍ମତ। ସେ ସ୍ପଷ୍ଟ କରିଛନ୍ତି ଯେ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୯ଏ ଅନୁଯାୟୀ ବିଶେଷ ପରିସ୍ଥିତିରେ ଡିଜିଟାଲ୍ ପ୍ଲାଟଫର୍ମ ଉପରେ ଅସ୍ଥାୟୀ କଟକଣା ଲଗାଯାଇପାରିବ।

ଜୁନ୍ ୨୧ରେ ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ପୂର୍ବରୁ ଗୁଜବ, ପ୍ରଶ୍ନପତ୍ର ଲିକ୍‌ ଓ ପରୀକ୍ଷା ଜାଲିଆତି ରୋକିବା ଉଦ୍ଦେଶ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)ର ସୁପାରିଶ କ୍ରମେ ସରକାର ଏହି ପଦକ୍ଷେପ ନେଇଥିଲେ। ଏହି ନିଷେଧାଜ୍ଞା ଜୁନ୍ ୨୨ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଶୁଣାଣି ସମୟରେ କେନ୍ଦ୍ର ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ ଆର୍‌ ଭେଙ୍କଟରମଣୀ ଟେଲିଗ୍ରାମର ଗଠନ ପ୍ରଣାଳୀକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେହିପରି ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଥିଲେ ଯେ ଏହି ପ୍ଲାଟଫର୍ମରେ ବହୁ ସଂଖ୍ୟକ ବଟ୍‌ ସୃଷ୍ଟି କରାଯାଇପାରୁଥିବାରୁ ଏବଂ କ୍ଲାଉଡ୍‌ ଆଧାରିତ ବ୍ୟବସ୍ଥା ଥିବାରୁ ପ୍ରକୃତ ବ୍ୟବହାରକାରୀଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ୁଛି।

କେନ୍ଦ୍ର ସରକାର କୋର୍ଟକୁ ଏହା ମଧ୍ୟ ଜଣାଇଛନ୍ତି ଯେ ଜାଲିଆତି ରୋକିବା ପାଇଁ ଟେଲିଗ୍ରାମର ‘ମେସେଜ୍ ଏଡିଟିଂ’ ସୁବିଧାକୁ ଭାରତରେ ଜୁନ୍ ୩୦ ପର୍ଯ୍ୟନ୍ତ ନିଷ୍କ୍ରିୟ ରଖାଯିବ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ପରେ ନିଟ୍‌ ୟୁଜି ୨୦୨୬ର ମୂଳ ପରୀକ୍ଷା ବାତିଲ୍‌ କରାଯାଇଥିଲା। ପରେ ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ପୁନଃ ପରୀକ୍ଷା ତାରିଖ ଘୋଷଣା କରାଯାଇଥିଲା। ତଦନ୍ତ ସମୟରେ କିଛି ଟେଲିଗ୍ରାମ ଚ୍ୟାନେଲ୍‌ ଟଙ୍କା ବଦଳରେ ପ୍ରଶ୍ନପତ୍ର ଦେବା ଦାବି କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା।