ବାଲେଶ୍ୱର: ଖଇରା ବ୍ଲକ କଳାମାଟିଆ ସ୍ଥିତ ନାରାୟଣ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଏକ ସ୍ତବ୍ଧ କଲାଭଳି ଘଟଣା ସାମ୍ନାକୁ ଆସିଛି। ସ୍କୁଲରେ ପିଲାମାନଙ୍କ ପାଇଁ ରଖାଯାଇଥିବା ମଧ୍ୟାହ୍ନ ଭୋଜନ ଚାଉଳରେ କୀଟନାଶକ (ବିଷ) ମିଶାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସହକାରୀ ଶିକ୍ଷୟିତ୍ରୀ କଳ୍ପନା ଦାସଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ନିଲମ୍ବିତ କରିଛନ୍ତି।

ସୂଚନା ଅନୁସାରେ, ଗ୍ରୀଷ୍ମ ଅବକାଶ ସମୟରେ ସ୍କୁଲ ବନ୍ଦ ଥିବାବେଳେ ଚାଉଳରେ ପୋକ ନଲାଗିବା ପାଇଁ ଶିକ୍ଷୟିତ୍ରୀ କଳ୍ପନା ଦାସ ରୋଷେଇୟାଙ୍କୁ ବିଷ ମିଶାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନଶିକ୍ଷୟିତ୍ରୀ ସ୍କୁଲ ପରିଦର୍ଶନରେ ଆସିବା ସମୟରେ ଦୁଇ ରୋଷେଇୟାଙ୍କ ଠାରୁ ଏହି ବିପଜ୍ଜନକ କାର୍ଯ୍ୟ ବିଷୟରେ ଜାଣିବାକୁ ପାଇଥିଲେ।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ଉତ୍ତ୍ୟକ୍ତ ଅଭିଭାବକମାନେ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅଭିଯୋଗ ପାଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ABEO) ଲକ୍ଷ୍ମୀଧର ସିଂଙ୍କ ନେତୃତ୍ୱରେ ଏକ ତଦନ୍ତ ଦଳ ସ୍କୁଲରେ ପହଞ୍ଚି ଘଟଣାର ସତ୍ୟାସତ୍ୟ ଜାଣିବାକୁ ପାଇଥିଲେ।ତଦନ୍ତ ରିପୋର୍ଟ ଆଧାରରେ ଶିକ୍ଷୟିତ୍ରୀଙ୍କୁ ସସପେଣ୍ଡ କରାଯିବା ପରେ ଅଭିଭାବକମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି।

ତେବେ ଏହି ଘଟଣାର ଏକ ଗଭୀର ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ପାଇଁ ଦାବି ହୋଇଛି। ସ୍ଥାନୀୟ ଜନପ୍ରତିନିଧିଙ୍କ କହିବା ଅନୁସାରେ, ଏକ ବଡ଼ ଅଘଟଣରୁ ସ୍କୁଲ ପିଲାମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାଜ୍ୟରେ ମଧ୍ୟାହ୍ନ ଭୋଜନର ସୁରକ୍ଷା ଓ ତଦାରଖକୁ ଅଧିକ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି।