ନୂଆଦିଲ୍ଲୀ/ନାଗପୁର:

ନୀଟ୍-ୟୁଜି ୨୦୨ (NEET-UG 2026) ପୁନଃ-ପରୀକ୍ଷାକୁ ନେଇ ପୁଣି ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ମହାରାଷ୍ଟ୍ର ନାଗପୁରର ଜଣେ ପରୀକ୍ଷାର୍ଥୀଙ୍କୁ ଭୁଲବଶତଃ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଆଲଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଜାତୀୟ ପରୀକ୍ଷା ସଂସ୍ଥା (NTA) ଏହି ସମସ୍ୟାର ସମାଧାନ କରି ଛାତ୍ରଙ୍କୁ ସଂଶୋଧିତ ଆଡମିଟ୍ କାର୍ଡ ପ୍ରଦାନ କରିଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଛାତ୍ରଙ୍କ ପରିବାର ଶନିବାର ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ଆଡମିଟ୍ କାର୍ଡ କିମ୍ବା ଆଧିକାରିକ ସୂଚନା ମିଳିନଥିବା ସେମାନେ କହିଛନ୍ତି।

ପରୀକ୍ଷାର୍ଥୀ ଅବଦୁଲ୍ଲା ମହମ୍ମଦ ତାଲିବଙ୍କ ପିତା ମହମ୍ମଦ ତାଲିବ ଗଣମାଧ୍ୟମକୁ କହିଛନ୍ତି ଯେ, ଏନ୍‌ଟିଏ ପକ୍ଷରୁ ସମସ୍ୟାର ସମାଧାନ ହୋଇଥିବା ଦାବି ମିଛ। ଶନିବାର ଅପରାହ୍ନ ସୁଦ୍ଧା ସେମାନଙ୍କୁ କୌଣସି ଇମେଲ୍ କିମ୍ବା ଅପଡେଟ୍ ମିଳିନାହିଁ। ଶୁକ୍ରବାର ଜଣେ ଏନ୍‌ଟିଏ ଅଧିକାରୀ ଫୋନ୍ କରି ଶନିବାର ଅପରାହ୍ନ ୪ଟା ସୁଦ୍ଧା ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ପରିବାର ଏବେ ବି ଅପେକ୍ଷା କରି ରହିଛି।

ପାସପୋର୍ଟ ନାହିଁ, ପରୀକ୍ଷା ଦେବେ କେମିତି?

ରବିବାର (ଜୁନ୍ ୨୧) ନୀଟ୍ ପୁନଃ-ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ପ୍ରଶାସନିକ ତ୍ରୁଟି ପରିବାରକୁ ଗଭୀର ଚିନ୍ତାରେ ପକାଇଛି। ଅବଦୁଲ୍ଲା ଆବେଦନ ଫର୍ମ ପୂରଣ କରିବା ସମୟରେ ନାଗପୁର, ୱାର୍ଦ୍ଧା ଏବଂ ଭଣ୍ଡାରାକୁ ନିଜର ପସନ୍ଦର ପରୀକ୍ଷା ସହର ଭାବେ ବାଛିଥିଲେ। ପୂର୍ବ ପରୀକ୍ଷା ମଧ୍ୟ ସେ ନାଗପୁର କେନ୍ଦ୍ରରେ ଦେଇଥିଲେ। ମାତ୍ର ନୂଆ ଆଡମିଟ୍ କାର୍ଡରେ ମହାରାଷ୍ଟ୍ର ବଦଳରେ ସୁଦୂର ଆବୁଧାବିର କେନ୍ଦ୍ର ଦର୍ଶାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଛାତ୍ର ଜଣଙ୍କ ପାଖରେ ପାସପୋର୍ଟ ମଧ୍ୟ ନାହିଁ, ଯାହାଫଳରେ ତାଙ୍କ ପାଇଁ ବିଦେଶ ଯାତ୍ରା କରିବା ସମ୍ପୂର୍ଣ୍ଣ ଅସମ୍ଭବ।

ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦେଶର ସବୁଠାରୁ ବଡ଼ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଏଭଳି ସାଙ୍ଘାତିକ ତ୍ରୁଟିକୁ ନେଇ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପରୀକ୍ଷା ପାଇଁ ମାତ୍ର କିଛି ଘଣ୍ଟା ବାକି ଥିବାରୁ ପରିବାର ବାରମ୍ବାର ଏନ୍‌ଟିଏକୁ ଇମେଲ୍ ପଠାଇ ସଂଶୋଧିତ ଆଡମିଟ୍ କାର୍ଡ ପାଇଁ ଅନୁରୋଧ କରୁଛନ୍ତି।