ବଲାଙ୍ଗୀର/ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିବାହ ଶୋଭାଯାତ୍ରାରେ ବାଜୁଥିବା ଡିଜେର ପ୍ରକମ୍ପିତ ଉଚ୍ଚ ଶବ୍ଦ ଯୋଗୁଁ ଜଣେ ମହିଳାଙ୍କର ବ୍ରେନ୍ ହେମୋରେଜ୍ (ମସ୍ତିଷ୍କର ରକ୍ତନଳୀ ଛିଣ୍ଡିଯିବା) ହୋଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ପାଟଣାଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମର ଲୋଚନା ବାହୁକ।

ସୂଚନା ଅନୁଯାୟୀ, ଲୋଚନା ରାସ୍ତାକଡ଼ ନଳକୂପ ପାଖରେ ନିଜ ନାତୁଣୀକୁ ଗାଧୋଉଥିବା ସମୟରେ ସେଠାରେ ଏକ ବରଯାତ୍ରୀ ଦଳ ପ୍ରବଳ ଶବ୍ଦରେ ଡିଜେ ବଜାଇ ଅତିକ୍ରମ କରିଥିଲେ। ଏହି କାନଫଟା ଶବ୍ଦ ଯୋଗୁଁ ସେ ଅସହଜ ଅନୁଭବ କରିଥିଲେ। ଡିଜେର ଶବ୍ଦ କମାଇବାକୁ ପରିବାର ଲୋକେ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ। ଏହାପରେ ଲୋଚନା ହଠାତ୍ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ ପାଟଣାଗଡ଼ ଓ ପରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା, ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଲୋଚନା ଏକ ଛୋଟ ହୋଟେଲ କରି ପରିବାର ପ୍ରତିପୋଷଣ କରୁଥିବା ଏକମାତ୍ର ସହାରା ଥିଲେ। ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ପରିବାରକୁ ସମ୍ପୂର୍ଣ୍ଣ ସହାୟ କରିଦେଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଅନିୟନ୍ତ୍ରିତ ଉଚ୍ଚ ସାଉଣ୍ଡର ଡିଜେ ବ୍ୟବହାର ଉପରେ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି।