ନୂଆଦିଲ୍ଲୀ: କ୍ଷୁଦ୍ର ଆଣବିକ ଶକ୍ତି ପ୍ରକଳ୍ପ (Small Modular Reactor) କ୍ଷେତ୍ରରେ ବଡ଼ ଯୋଜନା ଘୋଷଣା କରିଥିବା ଟାଟା ପାୱାର ଓଡ଼ିଶାରେ ଜମି ସମସ୍ୟା ଯୋଗୁଁ ଚାପରେ ପଡ଼ିଛି। କମ୍ପାନି ପକ୍ଷରୁ ଓଡ଼ିଶା, ଗୁଜରାଟ ଓ ଝାଡ଼ଖଣ୍ଡରେ ଏପରି ପ୍ରକଳ୍ପ ସ୍ଥାପନ ନେଇ ଯୋଜନା ହୋଇଥିଲେ ମଧ୍ୟ ଓଡ଼ିଶାରେ ଉପଯୁକ୍ତ ଜମି ଉପଲବ୍ଧ ନହେବା ପ୍ରମୁଖ ବାଧା ହୋଇଛି।


‘ବିଜନେସ୍‌ ଟୁଡେ’ର ଏକ ରିପୋର୍ଟ ଅନୁସାରେ, ଟାଟା ପାୱାର ପକ୍ଷରୁ ରାଜ୍ୟ ସରକାରଙ୍କୁ କେତେକ ସମ୍ଭାବ୍ୟ ସ୍ଥାନ ସମ୍ପର୍କରେ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଔପଚାରିକ ସମ୍ମତି କିମ୍ବା ପ୍ରତିକ୍ରିୟା ମିଳିନାହିଁ।


କିଛି ଦିନ ପୂର୍ବରୁ ଟାଟା ପାୱାରର ସିଇଓ ଡ଼. ପ୍ରବୀର ସିହ୍ନା କହିଥିଲେ ଯେ କମ୍ପାନି ଓଡ଼ିଶାରେ ୨୨୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଭାରତ କ୍ଷୁଦ୍ର ରିଆକ୍ଟର ସ୍ଥାପନ ପାଇଁ ଆଗ୍ରହୀ। ଏହାକୁ ନେଇ ଭାରତୀୟ ଆଣବିକ ଶକ୍ତି ନିଗମ ଲିମିଟେଡ୍‌ (NPCIL) ସହ ଆଲୋଚନା ଚାଲିଥିବା ସୂଚନା ମିଳିଥିଲା।


କମ୍ପାନି ପକ୍ଷରୁ କୁହାଯାଇଥିଲା ଯେ ପ୍ରକଳ୍ପର ଡିପିଆର୍‌ (Detailed Project Report) ଆଗାମୀ କିଛି ମାସ ମଧ୍ୟରେ ପ୍ରସ୍ତୁତ ହୋଇପାରେ। ତେବେ ଜମି ଅଧିଗ୍ରହଣ, ପରିବେଶ ମଞ୍ଜୁରି ଏବଂ ବିଭିନ୍ନ ବୈଧାନିକ ଅନୁମତି ଏହାର ଗତିକୁ ଧୀର କରିଦେଇଛି।


ଏପରି ସ୍ଥିତିରେ କେନ୍ଦ୍ର ସରକାର ଆଣବିକ ପ୍ରକଳ୍ପ ସମ୍ପର୍କିତ କିଛି ନିୟମ କୋହଳ କରିବା ଉପରେ ବିଚାର କରୁଥିବା ଚର୍ଚ୍ଚା ହେଉଛି। କାରଣ ୨୦୪୭ ସୁଦ୍ଧା ଦେଶର ଆଣବିକ ଶକ୍ତି ଉତ୍ପାଦନ କ୍ଷମତାକୁ ୧୦୦ ଗିଗାୱାଟ୍‌ରେ ପହଞ୍ଚାଇବା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ଏହି କ୍ଷମତା ପ୍ରାୟ ୮.୭ ଗିଗାୱାଟ୍‌ ରହିଛି।


ସରକାର ବେସରକାରି କ୍ଷେତ୍ରକୁ ମଧ୍ୟ ଆଣବିକ ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ସୁଯୋଗ ଦେଇଥିବାବେଳେ, ପ୍ରକଳ୍ପ ପାଇଁ ଜମି ଓ ଆବଶ୍ୟକ ଅନୁମତି ମିଳିବା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହି କାରଣରୁ ଓଡ଼ିଶାର ପ୍ରସ୍ତାବିତ ଆଣବିକ ପ୍ରକଳ୍ପ କେବେ ବାସ୍ତବ ରୂପ ନେବ, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ।