ଚେନ୍ନାଇ: ତାମିଲନାଡୁର ତିରୁଭାଲୁର ଜିଲ୍ଲାର ପେରିୟାପାଲାୟମ୍‌ ନିକଟରେ ଥିବା ଏକ ବେସରକାରୀ ସୀ-ଫୁଡ୍‌ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହେବା ଯୋଗୁଁ ଘଟିଥିବା ଦୁର୍ଘଟଣାରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ମହିଳା ଶ୍ରମିକ ଥିବା ସୂଚନା ମିଳିଛି।

ମୃତ ଓଡ଼ିଆ ଶ୍ରମିକମାନେ ହେଲେ ଜୁମଣି ଜୁଆଙ୍ଗ ଓ ମାଳତୀ। ଏହି ଘଟଣାରେ ୬୦ରୁ ଅଧିକ ଶ୍ରମିକ ଚିକିତ୍ସାଧୀନ ଥିବା ବେଳେ, ଗୁରୁତର ଆହତମାନଙ୍କ ମଧ୍ୟରେ କେତେ ଜଣ ଓଡ଼ିଆ ଅଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଘଟଣା ସମ୍ପର୍କରେ ଓଡ଼ିଶା ସରକାର ଅବଗତ ହେବା ପରେ ତତ୍ପରତା ଦେଖାଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁ ସରକାରଙ୍କ ସମକକ୍ଷ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପରବର୍ତ୍ତୀ ପଦକ୍ଷେପ ଭାବେ ଓଡ଼ିଶାରୁ ୩ ଜଣ ଅଧିକାରୀଙ୍କୁ ତାମିଲନାଡୁ ପଠାଯାଇଛି। ସେମାନେ ଆହତ ଓ ମୃତକଙ୍କ ପରିବାର ସହ ଯୋଗାଯୋଗ କରିବା ସହ ମୃତଦେହ ଫେରାଇ ଆଣିବା ବ୍ୟବସ୍ଥା କରିବେ।

ସୂଚନା ଅନୁସାରେ, କାରଖାନାରେ ପ୍ରାୟ ୩୦୦ରୁ ଅଧିକ ଶ୍ରମିକ କାର୍ଯ୍ୟରତ ଥିବାବେଳେ ଦୁର୍ଘଟଣା ସମୟରେ ୧୦୦ରୁ ଅଧିକ ଶ୍ରମିକ ଡ୍ୟୁଟିରେ ଥିଲେ। ହଠାତ୍ ଆମୋନିଆ ଗ୍ୟାସ୍‌ ଲିକ୍‌ ହେବା ପରେ ଶ୍ରମିକମାନେ ଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ଅନେକ ଶ୍ରମିକଙ୍କ ନାକ ଓ ପାଟିରୁ ରକ୍ତସ୍ରାବ ହୋଇଥିବା ଏବଂ କେହି କେହି ଚେତାଶୂନ୍ୟ ହୋଇପଡ଼ିଥିବା ସୂଚନା ମିଳିଛି।

ଘଟଣା ପରେ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଅସୁସ୍ଥ ଶ୍ରମିକମାନଙ୍କୁ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଗୁରୁତର ଆହତ ୧୦ ଜଣଙ୍କୁ ଚେନ୍ନାଇର ଷ୍ଟାନଲେ ମେଡିକାଲ କଲେଜ ହସ୍ପିଟାଲର ଆଇସିୟୁରେ ରଖାଯାଇଛି।

ତିରୁଭାଲୁର ଜିଲ୍ଲାପାଳ କବିତା ଘଟଣାସ୍ଥଳ ଓ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଗ୍ୟାସ୍‌ ଲିକ୍‌ର ପ୍ରକୃତ କାରଣ ଜାଣିବା ପାଇଁ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ତଦନ୍ତ ଆରମ୍ଭ କରାଯାଇଛି।