ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲା ଅନ୍ତର୍ଗତ ଏକ ସୀ-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ପ୍ରକ୍ରିୟାକରଣ କାରଖାନାରେ ଘଟିଥିବା ଭୟାବହ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମୃତକମାନେ ସମସ୍ତେ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନେ ହେଲେ ଜିମାନି ଜୁଆଙ୍ଗ, ଗୀତା ଜୁଆଙ୍ଗ, ଭୂମିଆ ଜୁଆଙ୍ଗ, ଶିବାନୀ ଜୁଆଙ୍ଗ ଏବଂ ଫୁଲମଣି ଜୁଆଙ୍ଗ।

ପେରିୟାପାଲୟମ୍ ନିକଟସ୍ଥ କନ୍ନିଗାଇପେୟାର ଗ୍ରାମରେ ଥିବା ଏହି ବେସରକାରୀ ରପ୍ତାନି ସଂସ୍ଥାର ରେଫ୍ରିଜରେସନ ସିଷ୍ଟମରୁ ରବିବାର ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇଥିଲା। ଏହି ସମୟରେ କାରଖାନାରେ ଓଡ଼ିଶା, ଆସାମ ଓ ଝାଡ଼ଖଣ୍ଡର ପ୍ରାୟ ୧୨୦ ଜଣ ପ୍ରବାସୀ ଶ୍ରମିକ ଉପସ୍ଥିତ ଥିଲେ। ଗ୍ୟାସ ସଂସ୍ପର୍ଶରେ ଆସି ୬୦ ଜଣ ମହିଳାଙ୍କ ସମେତ ୬୪ ଜଣ ଶ୍ରମିକ ଶ୍ୱାସକ୍ରିୟାରେ କଷ୍ଟ, ମୁଣ୍ଡବୁଲା ଏବଂ ଆଖି ପୋଡ଼ା ଅନୁଭବ କରିବା ସହ ଅଚେତ ହୋଇପଡ଼ିଥିଲେ। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଶୋକ ଓ ସହାୟତା ରାଶି

ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ସେ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହାସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ତାମିଲନାଡୁରେ ଓଡ଼ିଶାର ଉଚ୍ଚସ୍ତରୀୟ ଟିମ୍

ଓଡ଼ିଶା ସରକାର ତାମିଲନାଡୁ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରି ଶ୍ରମିକମାନଙ୍କ ଉପଯୁକ୍ତ ଚିକିତ୍ସା ନିଶ୍ଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ୩ ଜଣିଆ ଉଚ୍ଚସ୍ତରୀୟ ସରକାରୀ ଟିମ୍ ତିରୁଭଲ୍ଲୁରରେ ପହଞ୍ଚିଛନ୍ତି। ଏହି ଦଳରେ ଶ୍ରମ ଓ ଇଏସଆଇ ବିଭାଗର ସ୍ୱତନ୍ତ୍ର ସଚିବ ରାଜେଶ କୁମାର ଅଗ୍ରୱାଲ, ଅତିରିକ୍ତ ଶ୍ରମ କମିଶନର ମଦନ ମୋହନ ପାଇକ ଏବଂ ବୈଷୟିକ ପରାମର୍ଶଦାତା ଭକ୍ତ ବନ୍ଧୁ ଆଚାର୍ଯ୍ୟ ସାମିଲ ଅଛନ୍ତି। ସେମାନେ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର, ଚିକିତ୍ସା ଓ ସହାୟତା କାର୍ଯ୍ୟ ତଦାରଖ କରୁଛନ୍ତି।