କୋଲକାତା: ପଶ୍ଚିମବଙ୍ଗ ସରକାର ସୋମବାର ବିଧାନସଭାରେ ଆର୍ଥିକ ବର୍ଷ ୨୦୨୬–୨୭ ପାଇଁ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରି ବହୁ ଲୋକମୁଖୀ ଘୋଷଣା କରିଛନ୍ତି। ବଜେଟ୍ରେ ସରକାରୀ ନିଯୁକ୍ତି, ମହିଳା ସଶକ୍ତିକରଣ, କର୍ମଚାରୀ କଲ୍ୟାଣ ଏବଂ ସାମାଜିକ ଯୋଜନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ବଜେଟ୍ର ସବୁଠାରୁ ବଡ଼ ଘୋଷଣା ମଧ୍ୟରେ ରାଜ୍ୟରେ ୧ ଲକ୍ଷ ନୂଆ ସରକାରୀ ପଦବୀ ପୂରଣ ଯୋଜନା ରହିଛି। ଏଥିରୁ ୩୩ ପ୍ରତିଶତ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ସରକାର ଘୋଷଣା କରିଛନ୍ତି। ସରକାରଙ୍କ ମତରେ, ଏହା ରାଜ୍ୟରେ ନିଯୁକ୍ତି ସୃଷ୍ଟି ସହ ମହିଳା ସଶକ୍ତିକରଣକୁ ଗତି ଦେବ।
ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ପ୍ରଶାସନ ଗଢ଼ି ତୋଳିବା ସହ ବିକଶିତ ରାଜ୍ୟ ଗଠନକୁ ଲକ୍ଷ୍ୟ ରଖିଛନ୍ତି।
ବଜେଟ୍ରେ ରାଜ୍ୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ୨୦ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି। ଏହା ପରେ ମୋଟ ଡିଏ ୩୮ ପ୍ରତିଶତକୁ ବୃଦ୍ଧି ପାଇବ। ଏହି ବୃଦ୍ଧି ପୂର୍ବବ୍ୟାପୀ ଭାବେ ୧ ଏପ୍ରିଲ ୨୦୨୬ରୁ ଲାଗୁ ହେବ।
ସାମାଜିକ କଲ୍ୟାଣ ଦିଗରେ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କ ପାଇଁ ମାସିକ ୫ ହଜାର ଟଙ୍କା ପେନସନ ଘୋଷଣା କରାଯାଇଛି। ଏହା ସହ ରାଜ୍ୟ ପରିବହନ ନିଗମର ବସ୍ କଣ୍ଡକ୍ଟରମାନଙ୍କ ପାରିଶ୍ରମିକ ବୃଦ୍ଧି ମଧ୍ୟ କରାଯାଇଛି।
ମହିଳାଙ୍କ ପାଇଁ ଚାଲୁଥିବା ମାଗଣା ବସ୍ ସେବାକୁ ଜାରି ରଖିବା ପାଇଁ ୫୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ସୁବିଧା ପାଇଁ ‘ଗୋଲାପୀ କାର୍ଡ’ ଜାରି କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି।
ଏହା ବ୍ୟତୀତ, ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ଚାଲୁଥିବା ସମସ୍ତ ସାମାଜିକ କଲ୍ୟାଣ ଯୋଜନା ଅବ୍ୟାହତ ରହିବ। ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ରାଜ୍ୟ ଉପରେ ପ୍ରାୟ ୮.୫୫ ଲକ୍ଷ କୋଟି ଟଙ୍କା ଋଣ ରହିଛି।
ଅନ୍ୟପଟେ, ରାଜ୍ୟର ଖଣି କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ଇ-ନିଲାମ ବ୍ୟବସ୍ଥା ଲାଗୁ କରିବା ସହ କାନ୍ଥୀକୁ ନୂଆ ପୁଲିସ ଜିଲ୍ଲା ଏବଂ ଗୋପୀବଲ୍ଲଭପୁରକୁ ନୂଆ ଉପବିଭାଗ ଭାବେ ଘୋଷଣା କରାଯିବ ବୋଲି ବଜେଟ୍ରେ ପ୍ରସ୍ତାବ ରହିଛି।




