ମୁମ୍ବାଇ: ବଲିଉଡର ପ୍ରସିଦ୍ଧ କପୁର ପରିବାରରେ ଖୁବଶୀଘ୍ର ବାଜିବାକୁ ଯାଉଛି ଶାହନାଇ। ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଏବଂ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ କନ୍ୟା ଅଂଶୁଲା କପୁର ତାଙ୍କ ଦୀର୍ଘଦିନର ସାଥୀ ରୋହନ ଠକ୍କରଙ୍କ ସହ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ। ବିବାହ ପୂର୍ବରୁ ପରିବାରରେ ପୂଜା, ଶଗୁନ ଏବଂ ପାରମ୍ପରିକ ରୀତିନୀତି ଆରମ୍ଭ ହୋଇଯାଇଛି।
ପ୍ରି-ୱେଡିଂ ଉତ୍ସବର କିଛି ମୁହୂର୍ତ୍ତ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ପରିବାର ସଦସ୍ୟ ଶନାୟା କପୁର ଓ ମହୀପ କପୁର ଏହି ଅବସରର ଅନେକ ଝଲକ ସେୟାର କରିଛନ୍ତି। ଫଟୋଗୁଡ଼ିକରେ ଅଂଶୁଲା ଓ ରୋହନଙ୍କୁ ଏକାସାଙ୍ଗରେ ପୂଜା ଓ ଆରତୀରେ ଅଂଶଗ୍ରହଣ କରୁଥିବା ଦେଖାଯାଇଛି।
ଏହି ଅବସରରେ ସମଗ୍ର କପୁର ପରିବାର ଏକ ଛାତ ତଳେ ଏକାଠି ନଜର ଆସିଥିଲେ। ଅର୍ଜୁନ କପୁର ପାରମ୍ପରିକ ପୋଷାକରେ ଭଉଣୀଙ୍କ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଥିବାବେଳେ ଜାହ୍ନବୀ କପୁର ଓ ଖୁସି କପୁର ମଧ୍ୟ ଏହି ଖୁସିର ମୁହୂର୍ତ୍ତରେ ସାମିଲ ହୋଇଥିଲେ। ସେହିପରି ମହୀପ କପୁର, ସୁନୀତା କପୁର, ସଞ୍ଜୟ କପୁର ଓ ଶନାୟା କପୁର ଭାବୀ ନବଦମ୍ପତିଙ୍କୁ ଆଶୀର୍ବାଦ ଜଣାଇଥିଲେ।
ସୂଚନା ଅନୁସାରେ, ୨୦୨୨ ମସିହାରେ ଏକ ଡେଟିଂ ଆପ୍ ମାଧ୍ୟମରେ ଅଂଶୁଲା ଓ ରୋହନଙ୍କ ପ୍ରଥମ ପରିଚୟ ହୋଇଥିଲା। ପରେ ସେମାନଙ୍କ ସମ୍ପର୍କ ଧୀରେଧୀରେ ପ୍ରେମରେ ପରିଣତ ହୋଇଥିଲା।
୨୦୨୫ ଅକ୍ଟୋବରରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ଖବର ଅନୁଯାୟୀ, ଅଂଶୁଲାଙ୍କ ପସନ୍ଦର ସହରର ସେଣ୍ଟ୍ରାଲ ପାର୍କ ନିକଟରେ ଏକ ବିଶେଷ ମୁହୂର୍ତ୍ତରେ ରୋହନ ବିବାହ ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଏହି ରାଜକୀୟ ବିବାହକୁ ନେଇ ପରିବାର ସହ ପ୍ରଶଂସକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି।




