ଲଣ୍ଡନ: ବ୍ରିଟେନର ରାଜନୀତିରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର ନିଜ ପଦରୁ ଇସ୍ତଫା ଘୋଷଣା କରିବା ପରେ ଲେବର ପାର୍ଟି ଭିତରେ ନୂଆ ନେତୃତ୍ୱ ଚୟନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି ପରିସ୍ଥିତିରେ ଗ୍ରେଟର ମାଞ୍ଚେଷ୍ଟରର ମେୟର ଆଣ୍ଡି ବର୍ନହାମ ସବୁଠାରୁ ଶକ୍ତିଶାଳୀ ଦାବିଦାର ଭାବେ ଉଭା ହୋଇଛନ୍ତି।
ରିପୋର୍ଟ ଅନୁଯାୟୀ, ଲେବର ପାର୍ଟି ଜୁଲାଇ ୯ ତାରିଖରୁ ନେତୃତ୍ୱ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ କରିବ। ଯଦି ବର୍ନହାମଙ୍କ ବିରୋଧରେ କୌଣସି ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଆଗକୁ ନଆସନ୍ତି, ତେବେ ସେ ଜୁଲାଇ ୧୭ କିମ୍ବା ୧୮ ସୁଦ୍ଧା ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।
ବର୍ନହାମଙ୍କ ପାଇଁ ପରିସ୍ଥିତି ଆହୁରି ମଜବୁତ ହୋଇଛି କାରଣ ଲେବରର କିଛି ବରିଷ୍ଠ ନେତା ତାଙ୍କ ପକ୍ଷରେ ସମର୍ଥନ ଜଣାଇଥିବା ଆଲୋଚନା ଚାଲିଛି। ଦଳ ଭିତରେ ନୂଆ ମୁହଁକୁ ନେଇ ଆଶା ବଢ଼ିଥିବା ବେଳେ ବର୍ନହାମଙ୍କ ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି।
ଆଣ୍ଡି ବର୍ନହାମଙ୍କ ରାଜନୈତିକ ଯାତ୍ରା ମଧ୍ୟ ଅନେକଙ୍କ ପାଇଁ ପ୍ରେରଣାଦାୟକ। ସାଧାରଣ ପରିବାରରୁ ଆସିଥିବା ବର୍ନହାମଙ୍କ ବାପା ବ୍ରିଟିଶ ଟେଲିକମରେ ଇଞ୍ଜିନିୟର ଏବଂ ମା’ ଜଣେ ମେଡିକାଲ ରିସେପ୍ସନିଷ୍ଟ ଥିଲେ। ସେ କେମ୍ବ୍ରିଜ୍ରେ ଉଚ୍ଚଶିକ୍ଷା ଗ୍ରହଣ କରିବା ପରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ପୂର୍ବରୁ ମନ୍ତ୍ରୀ ଓ ସାଂସଦ ଭାବେ ଦାୟିତ୍ୱ ନିଭାଇଛନ୍ତି।
ତେବେ ବ୍ରିଟେନରେ ଏଯାଏଁ ନୂଆ ପ୍ରଧାନମନ୍ତ୍ରୀ ନେଇ ଔପଚାରିକ ଘୋଷଣା ହୋଇନାହିଁ। ଆସନ୍ତା କିଛି ସପ୍ତାହରେ ଲେବର ପାର୍ଟିର ଆଭ୍ୟନ୍ତରୀଣ ପ୍ରକ୍ରିୟା ଏହାର ଚୂଡ଼ାନ୍ତ ଚିତ୍ର ସ୍ପଷ୍ଟ କରିବ।




