କୋଲକାତା: ପଶ୍ଚିମବଙ୍ଗର ରାଜନୀତିରେ ବଡ଼ ଧରଣର ହଲଚଲ ଦେଖାଦେଇଛି। ତୃଣମୂଳ କଂଗ୍ରେସ (ଟିଏମ୍ସି) ଭିତରେ ଚାଲିଥିବା ବିଦ୍ରୋହ ନୂଆ ମୋଡ଼ ନେଇଛି। ବିଦ୍ରୋହୀ ବିଧାୟକ ଗୋଷ୍ଠୀ ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦଳର ଅଧ୍ୟକ୍ଷ ପଦରୁ ହଟାଇ ବରିଷ୍ଠ ନେତା ଅରୂପ ରାୟଙ୍କୁ ନୂତନ ଅଧ୍ୟକ୍ଷ ଭାବେ ଘୋଷଣା କରିଛନ୍ତି।
ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଥିବା ବିଦ୍ରୋହୀ ଶିବିର ନିଜକୁ ପ୍ରକୃତ ଟିଏମ୍ସି ବୋଲି ଦାବି କରିଛି। କୋଲକାତାର ନ୍ୟୁ ଟାଉନସ୍ଥିତ ଏକ ବୈଠକରେ ସମାନ୍ତରାଳ ସଂଗଠନ ଗଠନ ସହ ନୂତନ ଜାତୀୟ କାର୍ଯ୍ୟକାରୀ କମିଟି ଘୋଷଣା କରାଯାଇଛି। ସେହି ବୈଠକରେ ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ନିଲମ୍ବନ କରାଯାଇଥିବା ଦାବି ମଧ୍ୟ କରାଯାଇଛି।
ନୂତନ କମିଟିରେ ଅରୂପ ରାୟ ଓ ଋତବ୍ରତ ବାନାର୍ଜୀଙ୍କ ସହ ଫିରହାଦ ହାକିମ, ଅରୂପ ବିଶ୍ୱାସ, ବିପ୍ଳବ ମିତ୍ର, ସାବିନା ୟାସମିନ, ସନ୍ଦୀପନ ସାହା, ରଥିନ ଘୋଷ ଏବଂ ଜାଭେଦ ଖାନଙ୍କ ଭଳି ନେତାମାନଙ୍କ ନାମ ସାମ୍ନାକୁ ଆସିଛି।
ବୈଠକ ପରେ ଋତବ୍ରତ ବାନାର୍ଜୀ କହିଛନ୍ତି ଯେ, ସର୍ବସମ୍ମତିକ୍ରମେ ଅରୂପ ରାୟଙ୍କୁ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ମମତା ବାନାର୍ଜୀ ଚାହିଲେ ଦଳର ମୁଖ୍ୟ ପରାମର୍ଶଦାତା ଭାବେ ଯୋଗଦେଇପାରିବେ। ବିଦ୍ରୋହୀ ଶିବିର ନିଜ ପଦକ୍ଷେପ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଇବାକୁ କହିଛି।
ସମ୍ପ୍ରତି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଟିଏମ୍ସି ଭିତରେ ଅସନ୍ତୋଷ ବଢ଼ିଥିଲା ଏବଂ ବିଧାୟକ ଓ ସଂସଦୀୟ ଶାଖା ମଧ୍ୟରେ ମତଭେଦ ଦେଖାଦେଇଥିଲା। ଏହି ନୂଆ ଘଟଣାକ୍ରମ ଦଳର ଭବିଷ୍ୟତ ନେତୃତ୍ୱକୁ ନେଇ ଅଧିକ ଅନିଶ୍ଚିତତା ସୃଷ୍ଟି କରିଛି।




