ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରର ଆଲିଗଞ୍ଜ ଅଞ୍ଚଳରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣାରେ କୋଚିଂ ସେଣ୍ଟରରେ ଥିବା ଛାତ୍ରଛାତ୍ରୀଙ୍କ ସହ ମୋଟ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଘଟଣା ପରେ ସ୍ଥିତି ସମୀକ୍ଷା କରିବା ସମୟରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଭାବପ୍ରବଣ ହୋଇପଡ଼ିଥିଲେ।

ସାମ୍ବାଦିକମାନଙ୍କୁ ସୂଚନା ଦେବାବେଳେ ସେ କହିଥିଲେ ଯେ ଘଟଣାସ୍ଥଳର ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା। ସେ ଉଦ୍ଧାର କାର୍ଯ୍ୟ ସମୟରେ ଏକାଧିକ ମୃତଦେହ ଦେଖିଥିବା କହିବା ସହ ଭାବୁକ ହୋଇପଡ଼ିଥିଲେ।

ସୂଚନା ଅନୁଯାୟୀ, ଆଲିଗଞ୍ଜର ଉଶା ମେହଟା ମାର୍ଗରେ ଥିବା ଏକ ତିନି ମହଲା ବିଶିଷ୍ଟ ଭବନରେ କୋଚିଂ ସେଣ୍ଟର, ଏକ ଆନିମେସନ୍‌ ସେଣ୍ଟର ଓ ଏକ ପେଟ୍‌ ସପ୍‌ ଚାଲୁଥିଲା। ଅପରାହ୍ନ ପ୍ରାୟ ୩ଟା ସମୟରେ ହଠାତ୍‌ ନିଆଁ ଲାଗିଥିଲା। ମୁହୂର୍ତ୍ତକେ କଳା ଧୂଆଁ ସମଗ୍ର ଅଞ୍ଚଳକୁ ଘେରି ଦେଇଥିଲା ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ, ପୁଲିସ, ଏନ୍‌ଡିଆରଏଫ୍‌, ଏସ୍‌ଡିଆରଏଫ୍‌ ଏବଂ ସିଭିଲ ଡିଫେନ୍ସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଚିକିତ୍ସା ପାଇଁ ପଠାଯାଇଥିଲା।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ସହ ଆହତମାନଙ୍କ ଚିକିତ୍ସା ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ଘଟଣା ପରେ ସେ ନିଜର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀକୁ ମଧ୍ୟ ବାତିଲ କରିଥିବା ସୂଚନା ମିଳିଛି।