ଭୁବନେଶ୍ବର: ତୁର୍କିଏର ମେର୍ସିନରେ ଆୟୋଜିତ ବିଶ୍ବ ଆବିଲିଟିସ୍ପୋର୍ଟ ଯୁବ କ୍ରୀଡ଼ାରେ ଓଡ଼ିଶାର ଦୁଇ ପାରା ବ୍ୟାଡ୍ମିଣ୍ଟନ୍ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ ଓ ବିଭାସିନ୍ଧୁ ବାରିକ ଚମତ୍କାର ପ୍ରଦର୍ଶନ କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଉଭୟ ମିଶି ମୋଟ ୬ଟି ପଦକ ଜିତି ଆନ୍ତର୍ଜାତିକ ସ୍ତରରେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି।
ଆକାଶ ରଞ୍ଜନ ମୁଣ୍ଡ ପୁରୁଷ ଏକକ (ଏସ୍ଏଲ୍–୩) ଓ ମିଶ୍ରିତ ଯୁଗଳ (ଏସ୍ଏଲ୍–୩ / ଏସ୍ୟୁ–୫) ବର୍ଗରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ଯୁଗଳ (ଏସ୍ଏଲ୍–୩ / ଏସ୍ୟୁ–୫) ବିଭାଗରେ ରୌପ୍ୟ ପଦକ ଜିତିଥିଲେ।
ସେହିପରି ବିଭାସିନ୍ଧୁ ବାରିକ ପୁରୁଷ ଯୁଗଳ (ଏସ୍ଏଲ୍–୩ / ଏସ୍ୟୁ–୫) ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଏକକ (ଏସ୍ଏଲ୍–୩)ରେ ରୌପ୍ୟ ଏବଂ ମିଶ୍ରିତ ଯୁଗଳ (ଏସ୍ଏଲ୍–୩ / ଏସ୍ୟୁ–୫)ରେ କାଂସ୍ୟ ପଦକ ଅର୍ଜନ କରିଥିଲେ।
ଏହି ଉଲ୍ଲେଖନୀୟ ସଫଳତା ପରେ ରାଜ୍ୟ କ୍ରୀଡ଼ା ବିଭାଗ ଓ ଓଡ଼ିଶା ପାରା କ୍ରୀଡ଼ା ସଂଘ ପକ୍ଷରୁ ଉଭୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଯାଇଛି। ଏହି ସଫଳତା ରାଜ୍ୟର ପାରା କ୍ରୀଡ଼ା କ୍ଷେତ୍ରରେ ନୂଆ ପ୍ରେରଣା ସୃଷ୍ଟି କରିବ ବୋଲି ଆଶା କରାଯାଉଛି।




