ଗୁଆହାଟୀ: ଆସାମର ଗୁଆହାଟୀସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ କାମାଖ୍ୟା ମନ୍ଦିରର ଦ୍ଵାର ବାର୍ଷିକ ‘ଅମ୍ବୁବାଚୀ ମହାଯୋଗ’ ପାଇଁ ସୋମବାରଠାରୁ ବନ୍ଦ ହୋଇଯାଇଛି। ପୂର୍ବ ଭାରତର ଏହି ସବୁଠାରୁ ବଡ଼ ଧାର୍ମିକ ସମାବେଶ ଯୋଗୁଁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିପାରିବେ ନାହିଁ।
ମା’ କାମାଖ୍ୟାଙ୍କ ବାର୍ଷିକ ରଜସ୍ୱଳା ପ୍ରକ୍ରିୟା ସହ ଜଡ଼ିତ ଏହି ପରମ୍ପରା ସମୟରେ ମନ୍ଦିର ଗର୍ଭଗୃହରେ ସମସ୍ତ ପ୍ରକାର ପୂଜାର୍ଚ୍ଚନା ସ୍ଥଗିତ ରହେ।ଏହି ମହୋତ୍ସବରେ ଭାଗ ନେବା ପାଇଁ ଦେଶବିଦେଶରୁ ହଜାର ହଜାର ସାଧୁ, ସନ୍ଥ ଓ ତାନ୍ତ୍ରିକ ନୀଳାଚଳ ପାହାଡ଼ରେ ପହଞ୍ଚିଛନ୍ତି। ‘ପୂର୍ବର ମହାକୁମ୍ଭ’ କୁହାଯାଉଥିବା ଅମ୍ବୁବାଚୀ ମେଳା ନାରୀ ଶକ୍ତି ଏବଂ ପ୍ରଜନନର ପୂଜା ସହ ଜଡ଼ିତ। ପୌରାଣିକ ମାନ୍ୟତା ଅନୁଯାୟୀ, ଏହି ପବିତ୍ର ୫୧ ଶକ୍ତିପୀଠ ସ୍ଥାନରେ ଦେବୀ ସତୀଙ୍କ ‘ଯୋନି’ ଭାଗ ପଡ଼ିଥିଲା।
ରକ୍ତ ବସ୍ତ୍ର ପ୍ରସାଦ: ୩ ଦିନର ବିଶେଷ ରୀତିନୀତି ଶେଷ ହେବା ପରେ ମନ୍ଦିର ଦ୍ଵାର ପୁଣି ଖୋଲିବ। ଏହାପରେ ଭକ୍ତମାନଙ୍କୁ ଅତ୍ୟନ୍ତ ଶୁଭ ମାନୁଥିବା ପବିତ୍ର ‘ରକ୍ତ ବସ୍ତ୍ର’ ଏବଂ ‘ଅଙ୍ଗୋଦକ’ ପ୍ରସାଦ ମିଳିବ। ଶ୍ରଦ୍ଧାଳୁଙ୍କ ବ୍ୟାପକ ସମାଗମକୁ ଦୃଷ୍ଟିରେ ରଖି ଆସାମ ସରକାର ଓ ପ୍ରଶାସନ ପକ୍ଷରୁ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।




