ୱାଶିଂଟନ: ଆମେରିକାରେ ଅବସ୍ଥାପିତ ଭାରତର ଡେପୁଟି ଚିଫ୍ ଅଫ୍ ମିଶନ୍ ନାମଗ୍ୟା ସି. ଖାମ୍ପା କହିଛନ୍ତି ଯେ କେତେକ ବିଷୟରେ ମତଭେଦ ସତ୍ତ୍ବେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଦିନକୁ ଦିନ ଅଧିକ ସୁଦୃଢ଼ ହେବାରେ ଲାଗିଛି। ଏହି ଦ୍ୱିପାକ୍ଷିକ ସମ୍ପର୍କକୁ ସେ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗିଦାରୀ ଭାବରେ ବର୍ଣ୍ଣନା କରିଛନ୍ତି।

କ୍ୟାପିଟଲ ହିଲ୍‌ଠାରେ ‘ଫାଉଣ୍ଡେସନ ଫର ଇଣ୍ଡିଆ ଆଣ୍ଡ ଇଣ୍ଡିଆନ ଡାୟାସପୋରା ଷ୍ଟଡିଜ୍’ (FIIDS) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଖାମ୍ପା କହିଛନ୍ତି ଯେ ନୂଆଦିଲ୍ଲୀ ଓ ୱାଶିଂଟନ ମଧ୍ୟରେ ରହିଥିବା ସମ୍ପର୍କର ମୂଳଦୁଆ ହେଉଛି ପାରସ୍ପରିକ ସ୍ୱାର୍ଥ, ବଢ଼ୁଥିବା ଅର୍ଥନୈତିକ ସହଯୋଗ, ପ୍ରଯୁକ୍ତିବିଦ୍ୟା (ଟେକ୍ନୋଲୋଜି), ପ୍ରତିରକ୍ଷା ଏବଂ ଆଞ୍ଚଳିକ ସୁରକ୍ଷା। ସେ କହିଛନ୍ତି, “ଏହାର ଅର୍ଥ ନୁହେଁ ଯେ ଆମେ ସବୁ ବିଷୟରେ ଶତପ୍ରତିଶତ ଏକମତ, କିନ୍ତୁ ପ୍ରତିବର୍ଷ ଏହି ସମ୍ପର୍କ ପଛରେ ଥିବା ରଣନୈତିକ ଯୁକ୍ତି ଅଧିକ ଶକ୍ତିଶାଳୀ ହେଉଛି।”

ଖାମ୍ପା ଗତ ବର୍ଷର ସଫଳତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ଏବଂ ସେମାନଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବିଷୟରେ କହିଥିଲେ। ଏହା ସହିତ ଆମେରିକା ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାର୍କୋ ରୁବିଓଙ୍କ ନିକଟ ଅତୀତର ଭାରତ ଗସ୍ତ ଏବଂ କ୍ୱାଡ୍ ବୈଠକ ବିଷୟରେ ମଧ୍ୟ ସେ ସୂଚନା ଦେଇଛନ୍ତି।

ବ୍ୟାପାର ଓ ବାଣିଜ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି ବୋଲି ସେ ଆଶା ପ୍ରକଟ କରିଛନ୍ତି। ଉଭୟ ଦେଶ କେବଳ ଶୁଳ୍କ ହ୍ରାସ କରିବାକୁ ଚାହୁଁନାହାନ୍ତି, ବରଂ ଏକ ଦୃଢ଼ ଓ ଉଚ୍ଚାଭିଳାଷୀ ଅର୍ଥନୈତିକ ଭାଗିଦାରୀ ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ବ୍ୟତୀତ ଅଶୋଧିତ ତୈଳ, ତରଳୀକୃତ ପ୍ରାକୃତିକ ଗ୍ୟାସ ଏବଂ ବେସାମରିକ ଆଣବିକ ଶକ୍ତି କ୍ଷେତ୍ରରେ ମଧ୍ୟ ସହଯୋଗ ବୃଦ୍ଧି ପାଉଛି। କୃତ୍ରିମ ବୁଦ୍ଧିମତ୍ତା (AI), ସେମିକଣ୍ଡକ୍ଟର ଏବଂ କ୍ୱାଣ୍ଟମ କମ୍ୟୁନିକେସନ ପରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏହି ସମ୍ପର୍କର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ସେ କହିଛନ୍ତି।

ଶେଷରେ, ଆମେରିକାରେ ରହୁଥିବା ୫୦ ଲକ୍ଷରୁ ଅଧିକ ଭାରତୀୟ ବଂଶୋଦ୍ଭବଙ୍କ ପ୍ରଶଂସା କରି ସେ କହିଛନ୍ତି ଯେ ଏହି ସମ୍ପର୍କକୁ ଆଗକୁ ନେବାରେ ସେମାନେ ପ୍ରକୃତ ସେତୁ ସଦୃଶ। ବ୍ୟବସାୟ, ଚିକିତ୍ସା, ପ୍ରଯୁକ୍ତିବିଦ୍ୟା ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କର ଅବଦାନ ଅତୁଳନୀୟ। ଭାରତ-ଆମେରିକା ସମ୍ପର୍କକୁ ନୂତନ ଉଚ୍ଚତାକୁ ନେବା ପାଇଁ ସେ ଆମେରିକା କଂଗ୍ରେସର ନେତୃତ୍ୱଙ୍କ ସହଯୋଗ କାମନା କରିଛନ୍ତି।