ମୁମ୍ବାଇ: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ ଆଗାମୀ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତ ସମୟରେ ସ୍ୱତନ୍ତ୍ର ଚେଞ୍ଜିଂ ରୁମ୍‌ ବ୍ୟବହାର କରିବେ। ଦଳ ସହ ରହିବା, ବୈଠକରେ ଯୋଗଦେବା ଓ ସାଧାରଣ ଡ୍ରେସିଂ ରୁମ୍‌ର ପରିବେଶର ଅଂଶ ହେବାର ସୁଯୋଗ ଥିଲେ ମଧ୍ୟ ପୋଷାକ ପରିବର୍ତ୍ତନ ଓ କିଛି ଅନ୍ୟ କାର୍ଯ୍ୟ ପାଇଁ ତାଙ୍କୁ ଅଲଗା ବ୍ୟବସ୍ଥା ଦିଆଯିବ।

୧୫ ବର୍ଷୀୟ ବୈଭବଙ୍କ ବୟସକୁ ଧ୍ୟାନରେ ରଖି ଏହି ବିଶେଷ ବ୍ୟବସ୍ଥା କରାଯାଇଛି। ବ୍ରିଟିଶ୍‌ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ଏବଂ ଇଂଲଣ୍ଡ-ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି)ର ସୁରକ୍ଷା ନୀତି ଅନୁଯାୟୀ ୧୬ ବର୍ଷରୁ କମ୍‌ ବୟସର ଖେଳାଳିମାନେ ବୟସ୍କ ଖେଳାଳିଙ୍କ ସହ ସମାନ ଚେଞ୍ଜିଂ ରୁମ୍‌ ବ୍ୟବହାର କରିପାରିବେ ନାହିଁ।

ଏହି କାରଣରୁ ପ୍ରତ୍ୟେକ ଷ୍ଟାଡିୟମ୍‌ରେ ବୈଭବଙ୍କ ପାଇଁ ପୃଥକ ବ୍ୟବସ୍ଥା କରାଯିବ। ତାଙ୍କ ସହ ଏହି ଗସ୍ତରେ ତାଙ୍କ ମାତାପିତା ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ଏନେଇ ବିସିସିଆଇ ସଂପାଦକ ଦେବଜିତ ସାଇକିଆ କହିଛନ୍ତି ଯେ, ଏତେ କମ୍‌ ବୟସର ଖେଳାଳିଙ୍କୁ ବରିଷ୍ଠ ଦଳର ପରିବେଶ ସହ ଧୀରେ ଧୀରେ ଖାପ ଖୁଆଇବା ଏବଂ ସୁରକ୍ଷା ନୀତି ପାଳନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଅନ୍ୟପଟେ, ସୂର୍ଯ୍ୟବଂଶୀ ପରିବାରର କ୍ରିକେଟ୍‌ ପ୍ରତିଭା ଚର୍ଚ୍ଚାରେ ରହିଛି। ବୈଭବଙ୍କ ୧୦ ବର୍ଷୀୟ ଭାଇ ଆଶୀର୍ବାଦ ଏକ ସ୍ଥାନୀୟ ମ୍ୟାଚ୍‌ରେ ୧୧୯ ବଲ୍‌ରୁ ୧୬୮ ରନ୍‌ କରି ଶତକ ହାସଲ କରିଛନ୍ତି। ଏହା ଜାଣିବା ପରେ ବୈଭବ କହିଛନ୍ତି, “ଶତକ ଆମ ରକ୍ତରେ ଅଛି।”