ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟର ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ବଜାରରୁ ଆଶ୍ୱସ୍ତିର ଖବର ଆସିଛି। ଚଳିତ ବର୍ଷ ଫେବ୍ରୁଆରିରେ ଇରାନ ସଂପର୍କିତ ସଂଘର୍ଷ ଆରମ୍ଭ ପରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୫ ଡଲାର ତଳକୁ ଖସିଛି।
ବୁଧବାର ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ୩.୦୧ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୭୪.୭୬ ଡଲାରରେ ପହଞ୍ଚିଥିଲା। ସେହିପରି ଆମେରିକାର ୱେଷ୍ଟ ଟେକ୍ସାସ ଇଣ୍ଟରମେଡିଏଟ୍ (WTI) ମୂଲ୍ୟ ମଧ୍ୟ ୨.୯୬ ପ୍ରତିଶତ କମି ୭୧.୦୪ ଡଲାରରେ ବନ୍ଦ ହୋଇଥିଲା।
ଫେବ୍ରୁଆରି ୧୭ ପରେ ଏହା ତେଲ ଦରର ସର୍ବନିମ୍ନ ସ୍ତର ଭାବେ ଦେଖାଯାଇଛି। ବିଶ୍ଳେଷକମାନଙ୍କ ମତରେ, ଇରାନ-ଆମେରିକା ମଧ୍ୟରେ ତନାତନି କମିବା ସହ ଶାନ୍ତି ଚୁକ୍ତି ଏବଂ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସାଧାରଣ ହେବା ଯୋଗୁଁ ବଜାରରେ ତେଲ ଯୋଗାଣ ବଢ଼ିଛି।
ଅନ୍ୟପଟେ, ଆମେରିକା ପକ୍ଷରୁ ଇରାନୀ ତେଲ ଉପରେ ଲାଗିଥିବା କିଛି କଟକଣାକୁ ସ୍ଥାୟୀ ଭାବରେ ନୁହେଁ, କିନ୍ତୁ ସୀମିତ ସମୟ ପାଇଁ କୋହଳ କରାଯାଇଥିବାରୁ ବଜାରକୁ ଅଧିକ ପରିମାଣର ତେଲ ଆସିବା ଆରମ୍ଭ ହୋଇଛି। ଯୁଦ୍ଧ ସମୟରେ ଇରାନ ଯେଉଁ ତେଲ ମଜୁତ କରିଥିଲା, ତାହା ଏବେ ବଜାରକୁ ପ୍ରବେଶ କରୁଛି।
ଚାହିଦା ତୁଳନାରେ ଯୋଗାଣ ଅଧିକ ଥିବାରୁ କିଛି ବଜାରରେ ରିହାତି ଦରରେ ମଧ୍ୟ ତେଲ ବିକ୍ରି ହେଉଛି। ଓମାନ ମଧ୍ୟ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ କୌଣସି ଅତିରିକ୍ତ ଟୋଲ୍ ଲାଗୁ ନ କରିବା ଘୋଷଣା କରିଥିବାରୁ ବ୍ୟବସାୟ ଗତିଶୀଳ ହୋଇଛି।
ତେବେ ବିଶେଷଜ୍ଞମାନେ ସତର୍କ କରିଛନ୍ତି ଯେ ଏହି ସ୍ଥିତି ଦୀର୍ଘ ସମୟ ରହିବ କି ନାହିଁ ତାହା ଭୂ-ରାଜନୈତିକ ପରିସ୍ଥିତି ଉପରେ ନିର୍ଭର କରିବ। ଇରାନ-ଆମେରିକା ସମ୍ପର୍କରେ କୌଣସି ନୂଆ ବିଭ୍ରାଟ ହେଲେ ପୁଣି ତେଲ ଯୋଗାଣ ପ୍ରଭାବିତ ହୋଇପାରେ।
ଏପଟେ ଭାରତ ପାଇଁ ଏହା ସକାରାତ୍ମକ ସଙ୍କେତ ବୋଲି ମନେ କରାଯାଉଛି। ଭାରତ ନିଜ ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ ଅଶୋଧିତ ତେଲ ଆମଦାନି କରୁଥିବାରୁ ଦର କମିଲେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଓ ପେଟ୍ରୋଲ-ଡିଜେଲ ଦରରେ ରାହତ ମିଳିବାର ସମ୍ଭାବନା ରହିଛି। ପେଟ୍ରୋଲିୟମ ମନ୍ତ୍ରୀ ପୂର୍ବରୁ କହିଥିଲେ ଯେ ଯଦି ଏହି ହ୍ରାସ ସ୍ଥିର ରହେ, ତେବେ ଇନ୍ଧନ ଦର କମାଇବା ଉପରେ ବିଚାର କରାଯିବ।




