ରାଉରକେଲା: ସରକାରୀ ବିଦ୍ୟାଳୟରେ ଡିଜିଟାଲ୍ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲଗୁଡ଼ିକରେ କୃତ୍ରିମ ବୁଦ୍ଧିମତ୍ତା (AI) ଆଧାରିତ ଭର୍ଚୁଆଲ୍ କ୍ଲାସରୁମ୍ ଓ ଡିଜିଟାଲ୍ ମୂଲ୍ୟାଙ୍କନ ବ୍ୟବସ୍ଥା ପ୍ରଚଳନ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ଯୋଜନା ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ୫୨୧ଟି ବିଦ୍ୟାଳୟରେ ଭର୍ଚୁଆଲ୍ କ୍ଲାସରୁମ୍ ସ୍ଥାପନ କରାଯିବ।

ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ପକ୍ଷରୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଜିଲ୍ଲାର ୫୨୧ଟି ବିଦ୍ୟାଳୟ ମଧ୍ୟରୁ ୩୧୩ଟି ଉଚ୍ଚ ପ୍ରାଥମିକ (ଷଷ୍ଠରୁ ଅଷ୍ଟମ) ଏବଂ ୨୦୮ଟି ମାଧ୍ୟମିକ (ନବମରୁ ଦଶମ) ବିଦ୍ୟାଳୟ ଏହି ପ୍ରକଳ୍ପରେ ସାମିଲ ହେବ।

ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଆଧୁନିକ ଡିଜିଟାଲ୍ ବିଷୟବସ୍ତୁ ଏବଂ ଏଆଇ ପ୍ରଯୁକ୍ତିର ସହାୟତାରେ ଛାତ୍ରଛାତ୍ରୀଙ୍କୁ ଅଧିକ ଆକର୍ଷଣୀୟ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା। ଏହି ଭର୍ଚୁଆଲ୍ କ୍ଲାସରୁମ୍‌ଗୁଡ଼ିକୁ ଭୁବନେଶ୍ୱର ଓ କଟକରେ ଥିବା ୪ଟି କେନ୍ଦ୍ରୀୟ ବ୍ରଡକାଷ୍ଟିଂ ଷ୍ଟୁଡିଓ ଏବଂ ରାଜ୍ୟର ୪ଟି ଜୋନାଲ୍ ମୁଖ୍ୟାଳୟରେ ଥିବା ୮ଟି ଆଞ୍ଚଳିକ ଷ୍ଟୁଡିଓ ସହ ଯୋଡ଼ାଯିବ।

ଏହି ବ୍ୟବସ୍ଥା ମାଧ୍ୟମରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଓ ଇଂରାଜୀ ଭାଷାରେ ଡିଜିଟାଲ୍ ପାଠ୍ୟବସ୍ତୁ ଯୋଗାଇ ଦିଆଯିବ। ଦ୍ୱିପାକ୍ଷିକ ଯୋଗାଯୋଗ ବ୍ୟବସ୍ଥା ଥିବାରୁ ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟରେ ବସି ସିଧାସଳଖ ଶିକ୍ଷକଙ୍କ ସହ ଯୋଗାଯୋଗ କରି ପ୍ରଶ୍ନ ପଚାରିବା ସହ ନିଜ ସନ୍ଦେହ ଦୂର କରିପାରିବେ।

ଅଧିକାରୀମାନଙ୍କ ମତରେ, ଏହି ଯୋଜନା ମାଧ୍ୟମରେ ଦୂରଦୁରାନ୍ତ ଓ ପଛୁଆ ଅଞ୍ଚଳର ଛାତ୍ରଛାତ୍ରୀମାନେ ମଧ୍ୟ ଉନ୍ନତମାନର ଶିକ୍ଷାର ସୁଯୋଗ ପାଇବେ। ସେହିପରି ବିଦ୍ୟାଳୟଗୁଡ଼ିକରେ ଥିବା ଶିକ୍ଷକ ସଙ୍କଟ ଦୂର କରିବାରେ ମଧ୍ୟ ଏହି ବ୍ୟବସ୍ଥା ସହାୟକ ହେବ।

ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ଭର୍ଚୁଆଲ୍ କ୍ଲାସରୁମ୍ ପ୍ରକଳ୍ପ ପ୍ରଥମେ ୨୦୧୯ ମସିହାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠି ସହଯୋଗରେ ଆରମ୍ଭ ହୋଇଥିଲା। ସୁନ୍ଦରଗଡ଼ ସହରରେ ସ୍ଥାପିତ ଷ୍ଟୁଡିଓରୁ ଭିସାଟ୍ ସାଟେଲାଇଟ୍ ପ୍ରଯୁକ୍ତି ମାଧ୍ୟମରେ ସିଧାସଳଖ ପାଠଦାନ ପ୍ରସାରଣ କରାଯାଉଥିଲା। ବର୍ତ୍ତମାନ ଜିଲ୍ଲାର ୪୦୨ଟି ଭର୍ଚୁଆଲ୍ କ୍ଲାସରୁମ୍‌ରେ ନିୟମିତ ଶିକ୍ଷାଦାନ ଚାଲିଛି।