ଜଗତସିଂହପୁର: ଲଗାଣ ବର୍ଷାରେ ନିର୍ମାଣାଧୀନ ୫୫ ନମ୍ବର ଜାତୀୟ ରାଜପଥର ଗୁଣବତ୍ତାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଖେରସ ନିକଟରେ ନିର୍ମାଣାଧୀନ ଫ୍ଲାଏଓଭରର ସଂଯୋଗକାରୀ ଉଠାଣିରେ ବ୍ୟବହୃତ ଫ୍ଲାଏ ଆସ୍‌ ଓ ମାଟି ବର୍ଷା ପାଣିରେ ଧୋଇ ଯିବାରୁ ବିରାଟ ଘାଇ ସୃଷ୍ଟି ହୋଇଛି। ଏହା ସହ ରାସ୍ତାର ବିଭିନ୍ନ ସ୍ଥାନରେ ମାଟି, ମୋରମ ଓ ଗୋଡ଼ି ଧସିଯିବାରୁ ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି।

କଟକର କନ୍ଦରପୁରରୁ ନୂଆଗାଁ ପର୍ଯ୍ୟନ୍ତ ପ୍ରାୟ ୧୦୦ କିଲୋମିଟର ଦୀର୍ଘ ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାମ ଦୀର୍ଘଦିନ ଧରି ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ। ପ୍ରକଳ୍ପକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କନ୍ଦରପୁରରୁ ବାଲିକୁଦା ପର୍ଯ୍ୟନ୍ତ ପ୍ରାୟ ୫୦ କିଲୋମିଟର ରାସ୍ତା ନିର୍ମାଣ ଚାଲିଛି। ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟର ଏହି ପ୍ରକଳ୍ପର କାର୍ଯ୍ୟ ଏକ ଠିକା ସଂସ୍ଥା ଦ୍ୱାରା କରାଯାଉଛି।

ପ୍ରାୟ ତିନି ବର୍ଷ ପୂର୍ବରୁ କାମ ଆରମ୍ଭ ହୋଇଥିଲେ ମଧ୍ୟ ନିର୍ମାଣ ଶେଷ ହୋଇନାହିଁ। ଏହାପୂର୍ବରୁ କନ୍ଦରପୁରରୁ ମଙ୍ଗଳପୁର ମଧ୍ୟରେ ରାସ୍ତାରେ ଫାଟ ଓ ଖାଲଖମା ଦେଖାଦେବା ଘଟଣା ସାମ୍ନାକୁ ଆସିଥିଲା। ପରବର୍ତ୍ତୀ ସମୟରେ ସେଗୁଡ଼ିକର ପ୍ୟାଚ୍‌ ମରାମତି କରାଯାଇଥିଲେ ମଧ୍ୟ କେତେକ ସ୍ଥାନରେ ଏବେ ମଧ୍ୟ ଫାଟ ରହିଥିବା ଅଭିଯୋଗ ହେଉଛି।

ଏବେ ଖେରସ ନିକଟରେ ନିର୍ମାଣାଧୀନ ଫ୍ଲାଏଓଭରର ଉଠାଣିରେ ବ୍ୟବହୃତ ଫ୍ଲାଏ ଆସ୍‌ ବର୍ଷାରେ ବୋହିଯିବାରୁ ବଡ଼ ବଡ଼ ଘାଇ ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଉଠାଣି ଦୁଇ ଭାଗ ହୋଇଯାଇଥିବା ମଧ୍ୟ ଦେଖାଯାଇଛି। ଫ୍ଲାଏଓଭରର ଉଭୟ ପାର୍ଶ୍ୱରେ ମଧ୍ୟ ମାଟି ଧସିବା ଘଟଣା ସାମ୍ନାକୁ ଆସିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଫ୍ଲାଏଓଭର ଉଠାଣିର ପାର୍ଶ୍ୱରେ ଆବଶ୍ୟକୀୟ ପଥର ପ୍ୟାକିଂ କିମ୍ବା ସୁରକ୍ଷା ବନ୍ଧ ନିର୍ମାଣ କରାଯାଇନଥିବାରୁ ବର୍ଷା ପାଣିରେ ମାଟି ଓ ଫ୍ଲାଏ ଆସ୍‌ ସହଜରେ ଧୋଇଯାଇଛି। ଯଦି ଶୀଘ୍ର ସୁରକ୍ଷାମୂଳକ ପଦକ୍ଷେପ ନିଆଯିବ ନାହିଁ, ତେବେ ଆଗାମୀ ବର୍ଷାରେ ପରିସ୍ଥିତି ଆହୁରି ଜଟିଳ ହେବା ସହ ନିର୍ମାଣାଧୀନ ରାସ୍ତାର ସୁରକ୍ଷା ଓ ସ୍ଥାୟିତ୍ୱ ଉପରେ ପ୍ରଭାବ ପଡ଼ିପାରେ।