କଟକ: କଟକ ସହରରେ ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ଥାନାର ମହିଳା ଇନ୍ସପେକ୍ଟର ଇନ୍-ଚାର୍ଜ (IIC) ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କମିଶନରେଟ୍ ପୋଲିସର ଜଣେ କାର୍ଯ୍ୟରତ ଅଧିକାରୀଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଏବଂ ପୋଲିସ ବିଭାଗରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି କରିଛି।ସୂଚନା ଅନୁଯାୟୀ, ନିଜ ସରକାରୀ ବାସଭବନରେ ଆଇଆଇସି ବ୍ୟୁଟି ମହାନ୍ତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଅନ୍ୟ ପୋଲିସ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ପ୍ରକ୍ରିୟା ସ୍ୱରୂପ ପୋଲିସ ପକ୍ଷରୁ ଶବକୁ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି।ତେବେ ତାଙ୍କ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଏହା ଏକ ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ତାହା ବର୍ତ୍ତମାନ ତଦନ୍ତ ସାପେକ୍ଷ।

ବେସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସେ ଦୀର୍ଘ ଦିନ ଧରି ସାଇନସ୍ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ଶାରୀରିକ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ପ୍ରାଥମିକ ଅନୁମାନ କରାଯାଉଛି।ବର୍ତ୍ତମାନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପାରିପାର୍ଶ୍ୱିକ ସ୍ଥିତିର ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ତାଙ୍କର ଏଭଳି ଅକାଳ ବିୟୋଗରେ ସହକର୍ମୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।