ନୂଆଦିଲ୍ଲୀ: ବିବାହ ପରେ ଅନ୍ୟ କାହା ସହ ପ୍ରେମ କିମ୍ବା ଅନୈତିକ ସମ୍ପର୍କ ଥିବା ଅଭିଯୋଗର ପ୍ରମାଣ ଲୁଚାଇବା ପାଇଁ ସମ୍ବିଧାନ ପ୍ରଦତ୍ତ ଗୋପନୀୟତାର ଅଧିକାରକୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଛାଡ଼ପତ୍ର ମାମଲାରେ ବ୍ୟଭିଚାର ସମ୍ପର୍କିତ ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ମୋବାଇଲ୍ କଲ୍ ରେକର୍ଡ କିମ୍ବା ହୋଟେଲରେ ରହଣି ସମ୍ପର୍କିତ ତଥ୍ୟ କୋର୍ଟରେ ଦାଖଲ କରାଯାଇପାରିବ ବୋଲି ଶୀର୍ଷ ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ବିଚାରପତି ମନମୋହନ ଓ ବିଚାରପତି କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଦିଲ୍ଲୀ ହାଇକୋର୍ଟଙ୍କ ପୂର୍ବ ରାୟକୁ କାଏମ୍ ରଖି ସ୍ୱାମୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଆବେଦନକାରୀ ସ୍ୱାମୀ ଯୁକ୍ତି ଦେଇଥିଲେ ଯେ, ତାଙ୍କ ମୋବାଇଲ୍ କଲ୍ ରେକର୍ଡ ଓ ହୋଟେଲ ରହଣି ସମ୍ପର୍କିତ ତଥ୍ୟ ମାଗିବା ତାଙ୍କ ମୌଳିକ ଅଧିକାର ଓ ଗୋପନୀୟତାର ଉଲ୍ଲଂଘନ। କିନ୍ତୁ ସୁପ୍ରିମକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ।
କୋର୍ଟ କହିଛନ୍ତି ଯେ, ସମ୍ବିଧାନର ଧାରା ୨୧ ଅନୁଯାୟୀ ମିଳୁଥିବା ଗୋପନୀୟତାର ଅଧିକାର ସମ୍ପୂର୍ଣ୍ଣ ନୁହେଁ। ନ୍ୟାୟ ପ୍ରତିଷ୍ଠା ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥିତିରେ ଏହା ଉପରେ ଯୁକ୍ତିସଙ୍ଗତ ସୀମାବଦ୍ଧତା ଲାଗୁ କରାଯାଇପାରିବ। ବିଶେଷକରି ଛାଡ଼ପତ୍ର ମାମଲାରେ ବ୍ୟଭିଚାର ଭଳି ଅଭିଯୋଗର ସତ୍ୟତା ପ୍ରମାଣ ପାଇଁ ଆବଶ୍ୟକ ତଥ୍ୟକୁ ଗୋପନୀୟତାର ଆଳ ଦେଖାଇ ଲୁଚାଇ ରଖିବାର ସୁଯୋଗ ନାହିଁ।
ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ କହିଥିଲେ ଯେ, ହିନ୍ଦୁ ବିବାହ ଆଇନରେ ବ୍ୟଭିଚାର ଛାଡ଼ପତ୍ରର ଏକ ବୈଧ ଆଧାର। ତେଣୁ ଏପରି ମାମଲାରେ ପ୍ରମାଣ ସଂଗ୍ରହକୁ ଗୋପନୀୟତା ଅଧିକାର ଦେଖାଇ ବାଧା ଦିଆଯାଇପାରିବ ନାହିଁ। ଏହି କାରଣରୁ ପରିବାର କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱାମୀଙ୍କ ହୋଟେଲ ବୁକିଂ ଏବଂ କଲ୍ ଡିଟେଲ୍ ରେକର୍ଡ ଦାଖଲ କରିବା ନିଷ୍ପତ୍ତିକୁ ହାଇକୋର୍ଟ କାଏମ୍ ରଖିଥିଲେ, ଯାହାକୁ ଏବେ ସୁପ୍ରିମକୋର୍ଟ ମଧ୍ୟ ସମର୍ଥନ କରିଛନ୍ତି।
ମାମଲା ଅନୁସାରେ, ସଂପୃକ୍ତ ଦମ୍ପତିଙ୍କ ବିବାହ ୧୯୯୮ ମସିହାରେ ହୋଇଥିଲା ଏବଂ ୨୦୦୦ ମସିହାରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ପରେ ପତ୍ନୀ ଅଭିଯୋଗ କରିଥିଲେ ଯେ, ସ୍ୱାମୀଙ୍କର ବିବାହ ପରେ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରହିଛି ଏବଂ ସେ ତାଙ୍କ ସହ ଜୟପୁରର ଏକ ହୋଟେଲରେ ରହିଥିଲେ। ଏହି ଅଭିଯୋଗକୁ ଆଧାର କରି ପତ୍ନୀ ଛାଡ଼ପତ୍ର ମାମଲା ଦାଖଲ କରିବା ସହ ସ୍ୱାମୀଙ୍କ ହୋଟେଲ ରେକର୍ଡ ଓ ମୋବାଇଲ୍ କଲ୍ ବିବରଣୀ ମଗାଇବାକୁ ଅଦାଲତଙ୍କୁ ଅନୁରୋଧ କରିଥିଲେ। ପରିବାର କୋର୍ଟ ସେହି ଅନୁରୋଧକୁ ମଞ୍ଜୁର କରିଥିଲେ। ପରେ ଦିଲ୍ଲୀ ହାଇକୋର୍ଟ ଓ ବର୍ତ୍ତମାନ ସୁପ୍ରିମକୋର୍ଟ ମଧ୍ୟ ସେହି ନିଷ୍ପତ୍ତିକୁ ବଳବତ୍ତର ରଖିଛନ୍ତି।




