ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ପଞ୍ଚସଖା ଶିକ୍ଷା ସେତୁ ଏକ ବଡ଼ ପଦକ୍ଷେପ ନେଇଛି। ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ରାଜ୍ୟର ୨୩ଟି ଜିଲ୍ଲାର ୬୦୯ଟି ସ୍କୁଲ ଉନ୍ନୟନ ପ୍ରକଳ୍ପ ପାଇଁ ମୋଟ ୭ କୋଟି ୨୯ ଲକ୍ଷ ୭୭ ହଜାର ୭ ଟଙ୍କା ମଞ୍ଜୁର କରାଯାଇଛି।
ଶୁକ୍ରବାର ଅନୁଷ୍ଠିତ ବୈଠକରେ ପରିଷଦର ଅଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଡ. ଏନ୍. ତିରୁମାଲା ନାୟକ ଅଧ୍ୟକ୍ଷତା କରିଥିଲେ। ସେ ବିଦ୍ୟାଳୟର ବିକାଶରେ ପୁରାତନ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଭାଗିତା ଓ ସଂଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ ବିଭିନ୍ନ ନୂତନ କାର୍ଯ୍ୟକ୍ରମ ଓ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ସୂଚନାନୁସାରେ, ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ ପରିଚାଳନା କମିଟି ଏବଂ ସ୍ଥାନୀୟ ସମ୍ପ୍ରଦାୟ ମିଳିତ ଭାବେ ୨ କୋଟି ୪୩ ଲକ୍ଷ ୨୫ ହଜାର ୬୬୯ ଟଙ୍କା ଅବଦାନ ଦେଇଛନ୍ତି। ଏହା ସହ ପଞ୍ଚସଖା ଶିକ୍ଷା ସେତୁ ପକ୍ଷରୁ ଦୁଇଗୁଣା ଅନୁଦାନ ଯୋଗ ହୋଇ ମୋଟ ୬୦୯ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ଅଭିଯାନରେ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ଆର୍ଥିକ ଅବଦାନ ମିଳିଥିବା ଜଣାପଡ଼ିଛି।
ବୈଠକରେ ପିଏମ୍ ଶ୍ରୀ ବିଦ୍ୟାଳୟଗୁଡ଼ିକରେ ଆର୍ଥିକ ସାକ୍ଷରତା (Financial Literacy) ପାଠ୍ୟକ୍ରମ ଆରମ୍ଭ କରିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି। ଏଥିପାଇଁ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷଣ ପରେ ସେମାନେ ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କିଂ ବ୍ୟବସ୍ଥା, ସଞ୍ଚୟ, ବ୍ୟୟ, ଆର୍ଥିକ ପରିଚାଳନା ଏବଂ ଟଙ୍କାର ସଠିକ୍ ବ୍ୟବହାର ସମ୍ପର୍କରେ ଶିକ୍ଷା ପ୍ରଦାନ କରିବେ।
ଏହାଛଡ଼ା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO), ବ୍ଲକ୍ ଶିକ୍ଷା ଅଧିକାରୀ (BEO) ଏବଂ CRCCମାନଙ୍କ ବୃତ୍ତିଗତ ଦକ୍ଷତା ବିକାଶ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଏହି ବୈଠକରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ତଥା ପଞ୍ଚସଖା ଶିକ୍ଷା ସେତୁର ସଦସ୍ୟ ସଚିବ ଅନନ୍ୟା ଦାସଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓସେପା ଓ ସଂଗଠନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।




