ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଆର୍ଥିକ ଅଭିବୃଦ୍ଧିକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତ ବିଶ୍ୱର ଦ୍ରୁତ ଗତିରେ ବିକାଶ କରୁଥିବା ଅର୍ଥନୀତିଗୁଡ଼ିକ ମଧ୍ୟରୁ ଅନ୍ୟତମ ବୋଲି କହିବା ସହ ସେ ମତ ଦେଇଛନ୍ତି ଯେ, ଦେଶର ଅର୍ଥନୀତି ଅତ୍ୟନ୍ତ ସନ୍ତୋଷଜନକ ପ୍ରଦର୍ଶନ କରୁଛି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁଲାଇରେ ଟ୍ରମ୍ପ ଭାରତକୁ “ମୃତ ଅର୍ଥନୀତି” ବୋଲି ମନ୍ତବ୍ୟ କରିଥିଲେ। ଏବେ ତାଙ୍କ ମତରେ ପରିବର୍ତ୍ତନ ଦେଖାଯାଇଛି।

ଆମେରିକାର ସ୍ୱାଧୀନତା ଦିବସ ପୂର୍ବରୁ CNBCକୁ ଦେଇଥିବା ଏକ ସାକ୍ଷାତ୍କାରରେ ଟ୍ରମ୍ପ କହିଛନ୍ତି ଯେ, ବିଶ୍ୱର କେତେକ ଦେଶ ଦୃଢ଼ ଆର୍ଥିକ ପ୍ରଦର୍ଶନ କରୁଛନ୍ତି ଏବଂ ସେଥିରେ ଭାରତ ଏକ ପ୍ରମୁଖ ଉଦାହରଣ। ତାଙ୍କ ମତରେ, ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭ରୁ ୮ ପ୍ରତିଶତ ମଧ୍ୟରେ ରହିଛି, ଯାହା ବିଶ୍ୱ ଅର୍ଥନୀତି ପାଇଁ ଉଲ୍ଲେଖନୀୟ।

ସାକ୍ଷାତ୍କାରରେ ଟ୍ରମ୍ପ ଆମେରିକାର ଫେଡେରାଲ୍ ରିଜର୍ଭର ସୁଧହାର ନୀତିକୁ ମଧ୍ୟ ସମାଲୋଚନା କରିଥିଲେ। ସେ କହିଥିଲେ, ଭଲ ଆର୍ଥିକ ଅଭିବୃଦ୍ଧି ହାସଲ କରୁଥିବା ଦେଶଗୁଡ଼ିକରେ ଅତ୍ୟଧିକ କଠୋର ମୁଦ୍ରାନୀତି ଲାଗୁ କରି ବିକାଶକୁ ବାଧା ଦେବା ଉଚିତ ନୁହେଁ। ଏହି ପ୍ରସଙ୍ଗରେ ସେ ଭାରତର ଉଦାହରଣ ଦେଇଥିଲେ।

ଟ୍ରମ୍ପଙ୍କ କହିବା ଅନୁଯାୟୀ, ଆମେରିକାର ଅର୍ଥନୀତିରେ ଆହୁରି ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। ସେ କହିଛନ୍ତି, ଆମେରିକାର ଜିଡିପି ଅଭିବୃଦ୍ଧି କେବଳ ୪ ପ୍ରତିଶତରେ ସୀମିତ ରହିବାର କୌଣସି କାରଣ ନାହିଁ; ଏହା ୧୨ରୁ ୧୩ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବା ଉଚିତ।

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଆମେରିକା “ସୁବର୍ଣ୍ଣ ଯୁଗ” ଦେଇ ଗତି କରୁଛି। ଦେଶରେ ନୂଆ କଳକାରଖାନା ସ୍ଥାପନ ବୃଦ୍ଧି ପାଇଛି, ନିଯୁକ୍ତି ସୁଯୋଗ ରେକର୍ଡ ସ୍ତରରେ ରହିଛି, ଷ୍ଟକ୍ ମାର୍କେଟ୍ ନୂଆ ଉଚ୍ଚତାକୁ ଛୁଇଁଛି ଏବଂ ଆମେରିକୀୟମାନଙ୍କ ଅବସରକାଳୀନ ସଞ୍ଚୟ ମଧ୍ୟ ଦ୍ରୁତ ହାରେ ବୃଦ୍ଧି ପାଇଛି। ନିଜ ପୂର୍ବ ରାଷ୍ଟ୍ରପତି କାର୍ଯ୍ୟକାଳ ତୁଳନାରେ ବର୍ତ୍ତମାନ ଆମେରିକାର ଆର୍ଥିକ ପ୍ରଦର୍ଶନ ଅଧିକ ସୁଦୃଢ଼ ବୋଲି ଟ୍ରମ୍ପ ଦାବି କରିଛନ୍ତି।