କୋଲକାତା: ଭିଏତନାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଶନିବାର ସେଠାରେ ଏକ ସ୍ପିଡ୍‌ବୋଟ୍ ଓଲଟି ପଡ଼ିବା ଦ୍ୱାରା ଅତିକମରେ ୧୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମରଶରୀରକୁ ସ୍ୱଦେଶ ଫେରାଇ ଆଣିବା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଏକ ସ୍ୱତନ୍ତ୍ର ବିମାନ ପଠାଇବାକୁ ପ୍ରସ୍ତୁତି ଚଳାଇଛି । ଭିଏତନାମରେ ଥିବା ଭାରତୀୟ ଦୂତାବାସର ଅଧିକାରୀମାନେ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗରେ ରହି ଆନୁଷଙ୍ଗିକ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଚେଷ୍ଟା କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏକ ବେସରକାରୀ କମ୍ପାନୀର କର୍ମଚାରୀ ଓ ବିତରକମାନେ ୪ ଦିନିଆ ଭ୍ରମଣ ପାଇଁ ଗତ ଜୁଲାଇ ୯ ତାରିଖରେ ଭିଏତନାମ ଯାଇଥିଲେ ଏବଂ ଜୁଲାଇ ୧୨ରେ ସେମାନଙ୍କର ଫେରିବାର ଥିଲା । ଶନିବାର ପ୍ରାୟ ଦିପହର ୧.୩୦ ମିନିଟ୍‌ରେ ୩୨ ଜଣ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବୋଟ୍ କୂଳରୁ ମାତ୍ର ୩୦୦-୪୦୦ ମିଟର ଦୂରରେ ହଠାତ ଓଲଟି ପଡ଼ିଥିଲା । ଅନେକ ପର୍ଯ୍ୟଟକ ବୋଟ୍ ତଳେ ଚାପି ହୋଇଯାଇଥିଲେ ।

ଉଦ୍ଧାରକାରୀ ଦଳ ସମସ୍ତଙ୍କୁ ପାଣିରୁ ବାହାର କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ଅନ୍ୟ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଥିରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ଏବଂ ପ୍ରଭାବିତ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦେବାକୁ କଂଗ୍ରେସ ପକ୍ଷରୁ MEA କୁ ଅନୁରୋଧ କରାଯାଇଛି । ଦୁର୍ଘଟଣାର ଶିକାର ହୋଇଥିବା ଅଧିକାଂଶ ପର୍ଯ୍ୟଟକ ଆନ୍ଧ୍ରପ୍ରଦେଶ, କେରଳ ଏବଂ ତେଲଙ୍ଗାନାର ବୋଲି ଜଣାପଡ଼ିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ସମୟରେ ପାଗ ସମ୍ପୂର୍ଣ୍ଣ ସ୍ୱାଭାବିକ ଥିଲା ଏବଂ ସାଧାରଣ ପବନ ବହୁଥିଲା, ଯାହାକୁ ବୋଟ୍ ସହଜରେ ସମ୍ଭାଳି ପାରିବା କଥା । ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୨୦୨୫ରେ ମଧ୍ୟ ଭିଏତନାମରେ ଏକ ବୋଟ୍ ଓଲଟି ୩୯ ଜଣ ପ୍ରାଣ ହରାଇଥିଲେ, କିନ୍ତୁ ସେହି ଦୁର୍ଘଟଣା ବଜ୍ରପାତ ଓ ଝଡ଼ତୋଫାନ ଯୋଗୁଁ ହୋଇଥିଲା ।