ଭୁବନେଶ୍ୱର/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆ ଘାଟି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିଆଜ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଛି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଚାଳକଙ୍କ ସମେତ ଗାଡ଼ିରେ ଥିବା ଅନ୍ୟ କେହି ଆହତ ହୋଇନାହାନ୍ତି। ଗାଡ଼ିର ଚାଳକ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି।ରିପୋର୍ଟ ଅନୁଯାୟୀ, ପିଆଜ ବୋଝେଇ ଟ୍ରକଟି ମହାରାଷ୍ଟ୍ରର ନାସିକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା।
ମାତ୍ର ଜୁଡ଼ିଆ ଘାଟି ନିକଟରେ ଚାଳକ ଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଅଘଟଣ ଘଟିଥିଲା। ଟ୍ରକଟି ଓଲଟି ପଡ଼ିବା ଫଳରେ ଗାଡ଼ିରେ ଥିବା ଶହ ଶହ କିଲୋ ପିଆଜ ରାସ୍ତାରେ ବିକ୍ଷିପ୍ତ ଭାବେ ପଡ଼ି ରହିଥିଲା। ଅନେକ ପିଆଜ ବସ୍ତା ଟ୍ରକ୍ ଚକ ତଳେ ଚାପି ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।ଅନ୍ୟପଟେ ଆଜି ସକାଳେ ରାସ୍ତାରେ ପିଆଜ ପଡ଼ିଥିବା ଦେଖି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।
ଲୋକମାନେ ରାସ୍ତାରୁ ବାକି ରହିଥିବା ଭଲ ପିଆଜଗୁଡ଼ିକୁ ଗୋଟାଇ ନିଜ ନିଜ ଘରକୁ ବୋହି ନେଇଥିବା ଦେଖିବାକୁ ମିଳିଥିଲା।ଏହି ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା, ଯାହାଫଳରେ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ରାସ୍ତାରୁ ଟ୍ରକକୁ ହଟାଇବା ସହ ଟ୍ରାଫିକ ବ୍ୟବସ୍ଥାକୁ ସ୍ୱାଭାବିକ କରିଛି। ଏଥିସହ ପୋଲିସ ଗାଡ଼ିକୁ ଜବତ କରି ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି।।




